ମୋ ସ୍ତ୍ରୀଙ୍କୁ ଅର୍ଦ୍ଧ-ଉଲଗ୍ନ କରି ପିଟିଛନ୍ତି ୧୨୦ ଜଣ ପୁରୁଷ
ତାମିଲନାଡୁର ନାଗପଟ୍ଟିନମ୍ ଜିଲ୍ଲା ଅନ୍ତର୍ଗତ କାଡ଼ାବାସାଲ୍ ଗାଁରେ ୧୨୦ ଜଣ ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ଅର୍ଦ୍ଧ-ଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ଦେଇଛନ୍ତି ବୋଲି ସେନାର ଜଣେ ଯବାନ ଅଭିଯୋଗ କରିଛନ୍ତି।ସେ ଭାରତୀୟ ସେନାରେ ହାବିଲଦାର ଅଛନ୍ତି ଓ ଏବେ କାଶ୍ମୀରରେ ମୁତୟନ ହୋଇଛନ୍ତି।
ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଏନ୍. ତ୍ୟାଗରାଜନଙ୍କ ଦ୍ବାରା ପୋଷ୍ଟ୍ ହୋଇଥିବା ଏକ ଭିଡିଓରେ ସେନାର ଉକ୍ତ ଯବାନ ହାବିଲ୍ଦାର୍ ପ୍ରଭାକରନ୍ ଉପରୋକ୍ତ ଅଭିଯୋଗ କରିଛନ୍ତି। ତାମିଲ୍ନାଡୁର କାଡ଼ାବାସାଲ୍ ଗ୍ରାମର ବାସିନ୍ଦା ପ୍ରଭାକରନ୍ ସମ୍ପ୍ରତି କାଶ୍ମୀରରେ ନିଯୁକ୍ତ ହୋଇଛନ୍ତି। ଏହି ଭିଡିଓରେ ପ୍ରଭାକରନ କହିଛନ୍ତି, ମୋ ପତ୍ନୀ ଏକ ଦୋକାନ କରିଛନ୍ତି। ତାଙ୍କୁ ୧୨୦ ଜଣ ପୁରୁଷ ମିଶି ମାଡ଼ ମାରିଛନ୍ତି ଓ ଦୋକାନର ସମସ୍ତ ଜିନିଷପତ୍ର ଫିଙ୍ଗି ଦେଇଛନ୍ତି। ମୁଁ ଏସ୍ପିଙ୍କ ନିକଟକୁ ଏକ ଆବେଦନ ପତ୍ର ପଠାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଡିଜିପି ସାର, ଦୟାକରି ସାହାଯ୍ୟ କରନ୍ତୁ। ସେମାନେ ଛୁରୀ ଧରି ମୋ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ଓ ଧମକ ଦେଇଥିଲେ। ମୋ ପତ୍ନୀଙ୍କୁ ସେମାନେ ଅର୍ଦ୍ଧନଗ୍ନ କରି ନିର୍ଦ୍ଦୟ ଭାବେ ପିଟିଥିଲେ।
ଅନ୍ୟପକ୍ଷରେ ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ ପ୍ରଭାକରନ ଘଟଣାକୁ ନେଇ ବଢ଼ାଇ ଚଢ଼ାଇ କହୁଛନ୍ତି। ପ୍ରଭାକରନଙ୍କ ଶ୍ୱଶୁର ସେଲଭାମୂର୍ତ୍ତି ରେଣୁଗାମ୍ବଲ ମନ୍ଦିର ଜାଗାରେ ନିର୍ମିତ ଏକ ଦୋକାନ ଘରକୁ ୫ ବର୍ଷ ପାଇଁ ୯.୫ ଲକ୍ଷ ଟଙ୍କାରେ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲିଜ୍ ସୂତ୍ରରେ ନେଇଛନ୍ତି। କୁମାରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରାମୁ ନିଜେ ଉକ୍ତ ଦୋକାନ ଘରେ କିଛି ବ୍ୟବସାୟ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ସେଲଭାମୂର୍ତ୍ତିଙ୍କୁ ଦୋକାନ ଛାଡ଼ିବାକୁ କହିଥିଲେ।
ସେ ଟଙ୍କା ଫେରାଇବାକୁ ରାଜି ହୋଇଯାଇଥିବା ବେଳେ ଗତ ଫେବ୍ରୁଆରୀ ୧୦ ତାରିଖରେ ଏନେଇ ଏକ ଚୁକ୍ତି ହୋଇଥିଲା। କିନ୍ତୁ ରାମୁଙ୍କ କହିବା ମୁତାବକ ପରେ ସେଲଭାମୂର୍ତ୍ତି ପଇସା ନେବାକୁ ମନା କରିଥିଲେ ଓ ତା’ ସହିତ ଦୋକାନ ଖାଲି କରିବାକୁ ବି ମନା କରିଥିଲେ। ଜୁନ୍ ୧୦ ତାରିଖ ଦିନ ରାମୁ ସେଲ୍ୱାମୂର୍ତ୍ତିଙ୍କ ପୁଅ ଜୀବା ଓ ଉଦୟଙ୍କୁ ଟଙ୍କା ଫେରାଇବାକୁ ଦୋକାନକୁ ଯାଇଥିଲେ। କିନ୍ତୁ, ସେମାନେ ରାମୁକୁ ଆକ୍ରମଣ କଲେ। ଏକଥା ଦେଖି ସ୍ଥାନୀୟ ଲୋକେ ରାମୁଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିବାରୁ ମାଡ଼ପିଟ ଆରମ୍ଭ ହେବା ସହିତ ଦୋକାନ ସାମଗ୍ରୀ ଫିଙ୍ଗାଫୋପଡ଼ା ହୋଇଥିଲା।
Powered by Froala Editor