ଆମାନଜ ଜଙ୍ଗଲରେ କେମିତି ବଞ୍ଚିଥିଲେ ୪ ପିଲା, ଜାଣନ୍ତୁ ୪୦ ଦିନର ସଂଘର୍ଷ କାହାଣୀ...
ଘନ ରୋମାଞ୍ଚଭରା ଆମାଜନ ଜଙ୍ଗଲ । ବଡ ବଡ ବିଶେଷଜ୍ଞ ବି ଏଠାକାର ରହସ୍ୟ ଖୋଜିବାରେ ଫେଲ୍ ମାରୁଛନ୍ତି । ହେଲେ ଯାହାକୁ ଭଗବାନ ସାହା ସେଠି କିଏ ବା ହାରିବ? ହଁ ଆମେ ଏମିତି ୪ ଭାଇ ଭଉଣୀଙ୍କ ସଂଘର୍ଷର କଥା କହୁଛୁ, ଯାହାକୁ ଶୁଣିଲେ ସିହରଣ ଖେଳିଯିବ । ଗୋଟିଏ କି ୪ ଦିନ ନୁହେଁ । ପୂରା ୪୦ ଦିନ ଧରି ୪ ଭାଇ ଭଉଣୀ ଘଞ୍ଚ ଆମାଜନ ଜଙ୍ଗଲରେ ବଞ୍ଚି ରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି ।
ଏ କଥା କୋଲୋମ୍ବିୟାର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ କହିଛନ୍ତି। ମେ ୧ ତାରିଖ ଦିନ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଖୋଜ ହୋଇଯାଇଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ପାଇବା ନିମନ୍ତେ ତଲାସ ଅଭିଯାନରେ ଅଂଶ ଗ୍ରହଣ କରିଥିବା କେତେକ ସେନା ଓ ଆଦିମ ଅଧିବାସୀଙ୍କ ଫଟୋ ପୋଷ୍ଟ୍ କରି ପିଟ୍ରୋ କହିଛନ୍ତି: ସମଗ୍ର ଦେଶ ପାଇଁ ଆନନ୍ଦର ବିଷୟ! କୋଲୋମ୍ବୀୟ ଜଙ୍ଗଲରେ ୪୦ ଦିନ ତଳେ ହଜିଯାଇଥିବା ୪ଜଣ ପିଲା ବଞ୍ଚିଛନ୍ତି। ୪ ଭାଇଭଉଣୀଙ୍କୁ ତଲାସକାରୀମାନେ ଏକାଠି ଥିବା ଅବସ୍ଥାରେ ପାଇଥିଲେ। ଏବେ ସେମାନଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି ।
ପିଲାମାନେ ମୂଳତଃ ‘ୟୁଟୋଟୋ’ ଆଦିମ ଅଧିବାସୀ ଶ୍ରେଣୀର ଏବଂ ସେମାନଙ୍କର ବୟସ ହେଉଛି ଯଥାକ୍ରମେ:- ୧୩, ୯, ୪ ଓ ୧ ବର୍ଷ। ମେ ୧ ତାରିଖ ପୂର୍ବାହ୍ନରେ ସେମାନେ ଗୋଟିଏ ଇଞ୍ଜିନ୍ବିଶିଷ୍ଟ ଛୋଟ ବିମାନ ‘ସେସ୍ନା ୨୦୬’ରେ ଯାତ୍ରା କରୁଥିବା ବେଳେ ତାହା ଦୁର୍ଘଟଣା ଗ୍ରସ୍ତ ହୋଇ ଆମାଜନ୍ ଜଙ୍ଗଲରେ ପଡ଼ିଯାଇଥିଲା। ସେବେଠାରୁ ସେମାନେ ଫଳମୂଳ ଖାଇ ଲକ୍ଷ୍ୟହୀନ ଭାବେ ବୁଲୁଥିଲେ।
ସେମାନଙ୍କୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଦଳ ବହୁତ ଖୁସି ହୋଇଯାଇଥିଲେ । ଏପରିକି ପିଲାମାନେ ସେମାନଙ୍କୁ ଦେଖି କୁଣ୍ଢାଇ ପକାଇଥିଲେ । ଆଶାରେ ବଞ୍ଚିଥିବା ଏମାନଙ୍କୁ ଭଗବାନ ସାହା ହୋଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ଏମାନଙ୍କ କାହାଣୀ ଇତିହାସରେ ଲିପିବଦ୍ଧ ହୋଇରହିବ ।
Powered by Froala Editor