ଜେଲ୍ରେ ସ୍ୱାମୀଙ୍କୁ ଦେଖା କରିବାକୁ ଯାଇଥିଲେ ୮ ମାସର ଗର୍ଭବତୀ ପତ୍ନୀ, ଟଳିପଡ଼ିଲେ
ଆଉ ମାସେ ପରେ ଜନ୍ମ ହୋଇଥାନ୍ତା ଶିଶୁ । ହେଲେ ଆଉ କେବେ ସେ ଦେଖିପାରିବନି ଦୁନିଆକୁ । ତାକୁ ଜନ୍ମ ଦେବାକୁ ଥିବା ମା’ ହିଁ ସବୁ ଦିନ ପାଇଁ ଆଖି ବୁଜି ଦେଇଛି । ବିହାରର ଭାଗଲପୁର ଅଞ୍ଚଳସ୍ଥ ଜେଲରୁ ଏ ଦୁଃଖ ଘଟଣା ସାମ୍ନାକୁ ଆସିଛି। ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ସ୍ବାମୀଙ୍କୁ ଦେଖିବା ପାଇଁ ଗର୍ଭବତୀ ସ୍ତ୍ରୀ ଯାଇଥିଲେ। ଯେମିତି ସେ ସ୍ବାମୀଙ୍କ ଚେହେରା ଜେଲରେ ଦେଖିଥିଲେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଭାଗଲପୁର ଅଞ୍ଚଳର ଗୋବିନ୍ଦପୁରରେ ବସବାସ କରୁଥିବା ଗୁଡ୍ଡୁ ଯାଦବ ପଲ୍ଲବୀ ଯାଦବଙ୍କୁ ୨ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ଇତି ମଧ୍ୟରେ ଏକ କେସ୍ରେ ଫସି ଗୁଡ୍ଡୁ ଜେଲ୍ ଯାଇଥିବା ବେଳେ ଭାଗଲପୁର ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଥିଲେ। ୮ ମାସର ଗର୍ଭବତୀ ଥିବା ପଲ୍ଲବୀ ଗତ କାଲି ସ୍ୱାମୀଙ୍କୁ ଦେଖା କରିବାକୁ ଜେଲ୍କୁ ଯାଇଥିଲେ। ଦୀର୍ଘ ସମୟର ଅପେକ୍ଷା ପରେ ଗୁଡ୍ଡୁ ତାଙ୍କ ସମ୍ମୁଖକୁ ଆସିଥିଲେ। ମାତ୍ର ସ୍ୱାମୀଙ୍କୁ ଦେଖୁ ଦେଖୁ କୋହ ସମ୍ଭାଳି ନ ପାରି ହଠାତ୍ ବେହୋସ ହୋଇ ପଡ଼ିଲେ ପଲ୍ଲବୀ। ପରିବାର ଲୋକେ ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ ମାୟାଗଞ୍ଜ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor