ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବାକୁ ସେହ୍ୱାଗଙ୍କ ଘୋଷଣା
ନୂଆଦିଲ୍ଲୀ: ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତମ୍ଭୀଭୂତ କରି ଦେଇଛି । ଏହି ଅଭାବନୀୟ ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧,୧୭୫ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିବାର ଏବଂ ଆହତଙ୍କ ଚିକିତ୍ସା ପାଇଁ ଅନେକ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟ ଦଳର ଓପନର ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ମୃତକଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବା ନେଇ ସେ ଘୋଷଣା କରିଛନ୍ତି । ତାଙ୍କର ମହତ୍ କାର୍ୟ୍ୟକୁ ସୋସିଆଲ୍ ମିଡିଆରେ ଭୂୟସୀ ପ୍ରଶଂସା କରାଯାଉଛି ।
ସେହ୍ୱାଗ ସୋସିଆଲ୍ ମିଡିଆ ଟ୍ୱିଟରରେ ଟ୍ରେନ୍ ଦୁର୍ଘଟଣା ସ୍ଥଳର ଏକ ଫଟୋ ପୋଷ୍ଟ୍ କରି ଉଲ୍ଲେଖ କରିଛନ୍ତି, ‘ଏହି ଦୃଶ୍ୟ ବହୁ ଦିନ ପର୍ୟ୍ୟନ୍ତ ଆମ ମନରୁ ଲିଭିବନି । ଏଭଳି ଦୁଃଖଦ ସମୟରେ ମୁଁ କେବଳ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ ନେଇପାରିବି । ସେହ୍ୱାଗ ଇଣ୍ଟରନ୍ୟାସନାଲ୍ ସ୍କୁଲର ବୋର୍ଡିଂ ସୁବିଧାରେ ଏଭଳି ପିଲାମାନଙ୍କୁ ଆମେ ମାଗଣାରେ ପାଠ ପଢ଼ାଇବା ଏବଂ ରହିବାର ବ୍ୟବସ୍ଥା କରିଛୁ ।’
Powered by Froala Editor