ଇଣ୍ଟରଲକିଂରେ ତ୍ରୁଟି ଥିଲା ବୋଲି ୩ ମାସ ତଳୁ ଜାଣିଥିଲା ରେଳବିଭାଗ
ଟ୍ରେନର ଟ୍ରାକ ପରିବର୍ତ୍ତନ କମ୍ପ୍ୟୁଟର ଦ୍ୱାରା ହୋଇଥାଏ। ଏହାକୁ ଇଣ୍ଟରଲକିଂ ବ୍ୟବସ୍ଥା ବୋଲି କୁହାଯାଏ। ତେବେ ଏହି ଇଣ୍ଟରଲକିଂ ବ୍ୟବସ୍ଥାରେ ତ୍ରୁଟି ହିଁ ବାଲେଶ୍ୱର ଭୟଙ୍କର ଟ୍ରେନ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଏହି ଇଣ୍ଟରଲକିଂ ତ୍ରୁଟି ବାବଦରେ ରେଳବାଇ ୩ ମାସ ତଳୁ ଜାଣିଥିଲା । ଦାୟିତ୍ୱହୀନତା ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଲା ।
ଦକ୍ଷିଣ ପଶ୍ଚିମ ରେଳବାଇ ଜୋନ ୩ ମାସରୁ ବ୍ୟବସ୍ଥାରେ ଥିବା ଗୁରୁତର ସମସ୍ୟା ନେଇ ସତର୍କ କରାଇଥିଲା। ଜୋନର ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଚିଠି ଲେଖି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେ ଫେବୃଆରୀ ମାସରେ ଇଣ୍ଟରଲକିଂ ବ୍ୟବସ୍ଥା ଫେଲ ମାରିବାକୁ ନେଇ ଚିନ୍ତା ପ୍ରକଟ କରି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିବା କହିଥିଲେ।
ଇଣ୍ଟରଲକିଂ ବ୍ୟବସ୍ଥା ଦ୍ୱାରା ଦିଆଯାଉଥିବା ସିଗନାଲରେ ଗୁରୁତର ତ୍ରୁଟି ରହିଛି। ତେଣୁ ସିଗନାଲରେ ହୋଇଥିବା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ କାର୍ଯ୍ୟକାରୀ ହେଉଥିବା ସିଗନାଲ ବ୍ୟବସ୍ଥାରେ ଥିବା ଗୁରୁତର ସମସ୍ୟାକୁ ତୁରନ୍ତ ସମାଧାନ ହେବା ଦରକାର ବୋଲି ପ୍ରିନ୍ସିପାଲ ମୁଖ୍ୟ ଅପରେଟିଂ ମ୍ୟାନେଜର ଚିଠି ଲେଖି ରେଳ ମନ୍ତ୍ରଣାଳୟକୁ ଜଣାଇଥିଲେ। ସେ ଫେବୃଆରୀ ମାସରୁ ଚିଠି ଲେଖିଥିଲେ ହେଁ ଏଯାଏ ସିଗନାଲ ବ୍ୟବସ୍ଥାରେ ରହୁଥିବା ତ୍ରୁଟିକୁ ସମାଧାନ କରାଯାଇ ନଥିବା ଜଣାପଡ଼ିଛି।
Powered by Froala Editor