ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କ ଉପରେ ଅନେକ ପ୍ରଶ୍ନ ଉଠୁଛି, କିନ୍ତୁ ଏବେ ନୁହେଁ
ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ହୋଇଥିବା ଭୟଙ୍କର ଭୟଙ୍କର ରେଳ ଦୁର୍ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଏସବୁ ଭିତରେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ବଡ଼ ବୟାନ ଦେଇଛନ୍ତି। ଖଡ଼ଗେ କହିଛନ୍ତି ଯେ ଏହି ଦୁର୍ଘଟଣା ସଂପର୍କରେ ତାଙ୍କର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବାକୁ ଅଛି, କିନ୍ତୁ ବର୍ତ୍ତମାନ ପାଇଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବା ଉଚିତ ।
ସେ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସବୁ ରାଜନୀତିକ ଦଳକୁ ଏକାଠି ହୋଇ ଆଗକୁ ଆସିବା ସହ ଆହତ ଓ ମୃତକଙ୍କ ପରିବାର ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, “ସବୁ ରାଜନୀତିକ ଦଳଗୁଡ଼ିକୁ ମୁଁ ଆଗକୁ ଆସିବା ସହ ସହଯୋଗ କରିବାକୁ ଅନୁରୋଧ କରୁଛି। ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
ସେହିପରି ନ୍ୟାସନାଲ କନଫରେନ୍ସ (ଏନ୍ ସି) ସଭାପତି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ବ ନ୍ୟସ୍ତ ହେବା ଉଚିତ୍ । ବାଲେଶ୍ୱର ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣା ସମୟରେ ଆଣ୍ଟି-କଲିକ୍ସନ୍ ଡିଭାଇସ୍ ଲଗାଯାଇଥିଲା କି ନାହିଁ ତାହାର ତଦନ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକଟ କରିବା ସହ ସବୁ ସାଂସଦ ଗୋଟିଏ ଦିନର ଦରମା ଦାନ କରିବାକୁ ନିବେଦନ କରିଛନ୍ତି ।
Powered by Froala Editor