କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ : ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬-୭ ବଗି ଲାଇନଚ୍ୟୁତ୍ ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୭୦ରୁ ଅଧିକ ରହିଥିବା ସୂଚନା । ୪୦ରୁ ଉର୍ଦ୍ଧ୍ଵ ଗୁରୁତର ଆହତ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସନ୍ଧ୍ୟା ୭ଟାରେ ଦୁର୍ଘଟଣା ପରେ ବର୍ତ୍ତମାନ ଏହି ରୁଟ୍ରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ଯାତ୍ରୀଙ୍କୁ ଉଦ୍ଧାର ଓ ତତ୍କାଳ ମେଡିକାଲ ଚିକିତ୍ସା ସୁବିଧା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ କଣ୍ଟ୍ରୋଲରୁମ୍ ନମ୍ବର ଜାରି ହୋଇଛି । ବାଲେଶ୍ୱରଠାରେ ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଣ୍ଟ୍ରୋଲରୁମ ନମ୍ବର ହେଲା ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର)। ସେହିପରି ଏସ୍ଆର୍ସିଙ୍କ କାର୍ୟ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲା ଯାଇଛି। ସେହି ନମ୍ୱର ହେଲା ୦୬୭୪- ୨୫୩୪୧୭୭। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣା ସ୍ଥଳକୁ ରାଜ୍ୟର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା, ବଲବନ୍ତ ସିଂହ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ତୁରନ୍ତ ପହଞ୍ଚିବାକୁ ନିର୍ଦେଶ ଦେଇଛନ୍ତି। ଏମାନେ ଘଟଣାସ୍ଥଳକୁ ବାହାରିଯାଇଛନ୍ତି। ଏଥି ସହିତ ସମସ୍ତ ମେଡିକାଲକୁ ମଧ୍ୟ ଆର୍ଲଟ କରିଛନ୍ତି।
Powered by Froala Editor