୯କୋଟି ଟଙ୍କା ଠକେଇ ଘଟଣାରେ ଗିରଫ ହେଲେ ଓଡ଼ିଶା ହୋମ୍ ନିର୍ଦ୍ଦେଶକ

କୋରାପୁଟ : ୯କୋଟି ଟଙ୍କା ଠକେଇ ଘଟଣାରେ ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ସରୋଜ ପଣ୍ଡାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଜୟପୁର ସହର ମୁଖ୍ୟରାସ୍ତାସ୍ଥିତ ବାସଭବନରୁ କ୍ରାଇମବ୍ରାଞ୍ଚ ଟିମ୍ ଉଠାଇ ନେଇ କଟକ ଓପିଆଇଡି କୋର୍ଟରେ ହାଜର କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ବର ଅଶୋକନଗର ଅଞ୍ଚଳରେ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ଆଇଆରସି ଭିଜେଲ ଅଞ୍ଚଳର କଲ୍ୟାଣ ମିଶ୍ର ଅଗ୍ରୀମ ଟଙ୍କା ଦେଇଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ସ୍ଥାନ ମିଳିନଥିଲା କିମ୍ବା ଅଗ୍ରୀମ ନେଇଥିବା ଟଙ୍କା ମଧ୍ୟ ଫେରସ୍ତ କରାଯାଇନଥିଲା। ତେଣୁ ମାର୍ଚ୍ଚ ୭ତାରିଖରେ ସେ ସରୋଜଙ୍କ ସମେତ ଓଡ଼ିଶା ହୋମ୍ ଆଣ୍ଡ୍ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ର ଅନ୍ୟ ନିର୍ଦ୍ଦେଶଙ୍କ ବିରୋଧରେ କଲ୍ୟଣା ଏତଲା ଦେଇଥିଲେ। ସେହିପରି ୫ଜଣ ଜମି ମାଲିକ ଭୁବନେଶ୍ବର ମା’ ବସୁଧା ହୋମସ୍ ସହ କମର୍ସିଆଲ କମ୍ପ୍ଲେକ୍ସ ନିମନ୍ତେ ଜମି ପ୍ରଦାନ କରିବାକୁ ଚୁକ୍ତି କରିଥିଲେ। ବଦଳରେ ସେମାନଙ୍କୁ କମର୍ସିଆଲ କମ୍ପ୍ଲେକ୍ସର କିଛିଅଂଶ ଦେବାକୁ ଚୁକ୍ତି ହୋଇଥିଲା। ୨୦୧୨ ମସିହାରେ ମା’ ବସୁଧା ହୋମସ୍ ପକ୍ଷରୁ କମର୍ସିଆଲ କମ୍ପ୍ଲେକ୍ସର ନିର୍ମାଣ କାର୍ୟ୍ୟ ନିମନ୍ତେ ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ ସହ ଚୁକ୍ତି କରାଯାଇଥିଲା। ଏହାପରେ ୨୦୧୩ରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡ୍ ପ୍ରାୟ ୯କୋଟି ଟଙ୍କା କମର୍ସିଆଲ କମ୍ପ୍ଲେକ୍ସରେ ସ୍ଥାନ ଦେବାକୁ କହି ୧୨୯ଜଣ ସମ୍ଭାବ୍ୟ କେତ୍ରାଙ୍କଠାରୁ ସଂଗ୍ରହ କରିଥିଲା। କିନ୍ତୁ, କମର୍ସିଆଲ କଂପ୍ଲେକ୍ସରେ ସ୍ଥାନ ଦେବାରେ ବିଫଳ ହେବା ସହ ସମ୍ଭାବ୍ୟ କେତ୍ରାଙ୍କୁ ଟଙ୍କା ଫେରାଇ ନଥିଲେ।
Powered by Froala Editor