ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ସ୍ଥିତି : ଏସଆରସି

ଭୁବନେଶ୍ୱର : ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଉପରେ ପ୍ରଶାସନ ନିଘା ରଖିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଶ୍ରୀ ଜେନା ବାତ୍ୟା ପରବର୍ତୀ ସ୍ଥିତି ସମ୍ପର୍କରେ କହିଛନ୍ତିଯେ, ଆଜି ରାତି ସୁଦ୍ଧା ସମସ୍ତ ରାସ୍ତା ମରାମତି ଶେଷ ହୋଇଯିବ । ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ନଦୀ ବନ୍ଧ ଉପରେ ଜଳସମ୍ପଦ ବିଭାଗର ଅଧିକାରୀମାନେ ପଇଁତରା ମାରୁଛନ୍ତି । ବିଜୁଳି ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି । କେତେକ ସ୍ଥାନରେ ବିଜୁଳି ସ୍ୱାଭାବିକ ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ଜେନେରେଟର ବି ଲାଗିଛି । ସେହିପରି ଜଳ ନିଷ୍କାସନ ପାଇଁ ୮ଟି ଗାଁରେ ଲୋକମାନେ ରାସ୍ତା କାଟିଦେଇଥିଲେ । ତେବେ ଆବଶ୍ୟକତା ଦୃଷ୍ଟିରୁ ଲୋକମାନେ ଏଭଳି ପଦକ୍ଷେପ ନେଇଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି ।
ବାତ୍ୟା ଓ ବନ୍ୟା ପାଇଁ ପ୍ରାୟ ୭ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ କରାଯାଇଛି । କେନ୍ଦୁଝରରେ ୨୫ ହଜାର, କେନ୍ଦ୍ରାପଡ଼ାରେ ୧ ଲକ୍ଷ ୫ ହଜାର, ମୟୂରଭଞ୍ଜରେ ୧ ଲକ୍ଷ, ବାଲେଶ୍ୱରରେ ସର୍ବାଧିକ ୧ ଲକ୍ଷ ୯୦ ହଜାର, ଭଦ୍ରକରେ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ବନ୍ୟା ଆଶଙ୍କାକୁ ଆଖି ଆଗରେ ରଖି ବୈତରଣୀ ତଳିଆ ଅଂଚଳରେ ସ୍ଥାନାନ୍ତରଣ ବି ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।
Powered by Froala Editor