ମଣିପୁର ସ୍ଥିତି ସୁଧୁରୁନି : ହିଂସା ଉସୁକାଉଥିବା ବ୍ୟକ୍ତିଙ୍କୁ ଦେଖିଲେ ଗୁଳି ମାରିବାକୁ ନିର୍ଦ୍ଦେଶ

ଅଶାନ୍ତ ମଣିପୁର। ମୈତେଇ ସମୁଦାୟ ଅନୁସୂଚିତ ଜନଜାତିରେ ସାମିଲ ହେବାକୁ ଦାବି କରୁଥିବା ବେଳେ ଏହାକୁ ଆଦିବାସୀ ଏକତା ମୋର୍ଚ୍ଚା ତରଫରୁ ତୀବ୍ର ବିରୋଧ କରାଯାଉଛି। ଏହାକୁ ନେଇ ଉଭୟ ପକ୍ଷ ଗତକାଲି ମୁହାଁମୁହିଁ ହୋଇଥିଲେ।ଏହାପରେ ଗତକାଲି ବିଳମ୍ବିତ ରାତିରୁ ମଣିପୁରରର ୮ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ମଣିପୁର ସରକାର ଆସନ୍ତା ପାଞ୍ଚ ଦିନ ପାଇଁ ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସେନା ଓ ଆସାମ ରାଇଫଲ୍ସ କର୍ମୀଙ୍କୁ ମୁତୟନ କରାଯାଇଛି।
ପରିସ୍ଥିତିକୁ ନଜରରେ ରଖି ମଣିପୁରର ରାଜ୍ୟପାଳ କେତେକ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ।
ମୈତେଇ ସମୁଦାୟ ପକ୍ଷରୁ ଅନୁସୂଚିତ ଜନଜାତିରେ ସାମିଲ କରିବାକୁ ଦାବି କରାଯାଉଥିବା ବେଳେ ଏହାକୁ ବିରୋଧ କରିଛି ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ । ଏହାକୁ ବିରୋଧ କରି ‘ଆଦିବାସୀ ଏକତା ମୋର୍ଚ୍ଚା’ ପକ୍ଷରୁ ଗତକାଲି ଏକ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ। ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
ହିଂସାକୁ ଆଖି ଆଗରେ ରଖି ଆସାମ ରାଇଫଲ୍ସର ୩୪ଟି କମ୍ପାନି ଏବଂ ୯ଟି ସେନା କମ୍ପାନି ମଣିପୁରରେ ମୁତୟନ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଗୃହ ମନ୍ତ୍ରାଳୟ ମଧ୍ୟ ମଣିପୁରକୁ ରାପିଡ୍ ଆକ୍ସନ୍ ଫୋର୍ସର ପାଞ୍ଚଟି କମ୍ପାନି ପଠାଇଛି। ଏହାପୂର୍ବରୁ, ହିଂସା ପ୍ରଭାବିତ ଅଞ୍ଚଳରେ ଧାରା ୧୪୪ଲାଗୁ କରାଯାଇଥିଲା। ଆସନ୍ତା ପାଞ୍ଚ ଦିନ ଧରି ରାଜ୍ୟରେ ଇଣ୍ଟରନେଟ୍ ମଧ୍ୟ ବନ୍ଦ ରହିଛି। ଏହା ସତ୍ତ୍ବେ ମଣିପୁରରେ ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ।
Powered by Froala Editor