ସମ୍ବଲପୁର ଲୋକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ବିଶ୍ବାସ ରଖନ୍ତି: ବିଜେଡି
ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବା ବେଳେ ବିଜେପି ଘୃଣା ରାଜନୀତି ସୃଷ୍ଟି କରୁଛି। ଭାଇଚାରା ଓ ସମନ୍ବୟର ସହର ସମ୍ବଲପୁରରେ ଯଦି ଆଗକୁ ପୁଣି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ରାଜ୍ୟ ବିଜେପି କେବଳ ଦାୟୀ ରହିବ ବୋଲି ଅତାବିରା ବିଧାୟିକା ତଥା ମହିଳା ବିଜେଡିର ରାଜ୍ୟ ସଭାନେତ୍ରୀ ସ୍ନେହାଂଗିନୀ ଛୁରିଆ କହିଛନ୍ତି। ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଲେ, ସମ୍ବଲପୁରରେ ଲୋକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ବିଶ୍ବାସ ରଖନ୍ତି। ବିଗତ ଦିନରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଗଲା, ତାହା ସମସ୍ତଙ୍କୁ ବ୍ୟଥିତ କରିଛି।
ଶାନ୍ତିପ୍ରିୟ ସମ୍ବଲପୁରବାସୀ ଏବଂ ପୁଲିସ-ପ୍ରଶାସନର ଉଦ୍ୟମ ଯୋଗୁ ସମ୍ବଲପୁରରେ ଶାନ୍ତି ଫେରି ଆସିଛି। ଜୀବନଯାତ୍ରା ସ୍ବାଭାବିକ ହୋଇଛି। ଏହା କିନ୍ତୁ ରାଜ୍ୟ ବିଜେପିକୁ ଅସୁଖୀ କରିଛି। ଏଥିରେ ବିଜେପି ବିଚଳିତ ହୋଇପଡ଼ିଛି। ଘୃଣା ରାଜନୀତି ସୃଷ୍ଟି କରୁଥିବା ବିଜେପି ସମ୍ବଲପୁରର ଶାନ୍ତି ଭଂଗକରି ରାଜନୈତିକ ଖେଳ ଖେଳିବାକୁ ଚେଷ୍ଟା କରୁଛି। ସମ୍ବଲପୁର ଲୋକେ ତାହା ହେବାକୁ ଦେବେନାହିଁ। ବିଜେପି ବିକାଶରେ ବିଶ୍ବାସ ରଖେ ନାହିଁ। ସେଥିପାଇଁ ତ ଗତ ୨୩ ବର୍ଷ ହେଲା ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟରେ ସମ୍ବଲପୁର ଭଳି ହିଂସା ପ୍ରାୟତଃ ଘଟୁଛି। ବିଜେପି କଣ ସେସବୁ ରାଜ୍ୟକୁ ଏଭଳି ସତ୍ୟ ଅନୁସନ୍ଧାନକାରୀ ଦଳ ପଠାଉଛି ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଛନ୍ତି। ନିକଟରେ ଜାତୀୟ ଜନଜାତି ଆୟୋଗ ସମ୍ବଲପୁର ଆସି ତଦନ୍ତ କରୁଛନ୍ତି। ମାନବ ଅଧିକାର ଆୟୋଗ ବି ତଦନ୍ତ ଚଳାଇଛନ୍ତି। ଏହି ଦୁଇ ଆୟୋଗ ଉପରେ ବିଜେପିର ଭରସା ନାହିଁ। ଜାତି-ଜାତି, ଧର୍ମ-ଧର୍ମ ଓ ସଂପ୍ରଦାୟ-ସଂପ୍ରଦାୟ ମଧ୍ୟରେ ବିଜେପି ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ବିଜେପି ଏଥିରୁ କ୍ଷାନ୍ତ ରହିବା ଉଚିତ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଇନକୁ ତା ବାଟରେ ଯିବାକୁ ଦିଅନ୍ତି। ବିଗତ ଦିନର ଦୁର୍ଭାଗ୍ୟଜନକ ଘଟଣା ପାଇଁ ଯେଉଁମାନେ ବି ଦୋଷୀ, ସେମାନେ ନିଶ୍ଚିତ ଭାବେ ଦଣ୍ଡ ପାଇବେ। ଘଟଣାର ଏବେ ତଦନ୍ତ ଚାଲିଛି। ନିଶ୍ଚିତ ଭାବେ ଆଗାମୀ ଦିନରେ ସତ୍ୟ ପଦାକୁ ଆସିବ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ନେତା ଇଂ. ନଳିନୀ ପ୍ରଧାନ ଓ ବିଜେଡି ମୁଖପାତ୍ର ସଂଜୟ ବାବୁ ଉପସ୍ଥିତ ଥିଲେ।
Powered by Froala Editor