ଆଉ ୬ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ସିଧାସଳଖ ଛାଡ଼ପତ୍ର ଆଣିପାରିବେ ଦମ୍ପତି

ଛାଡ଼ପତ୍ର ପାଇଁ ଆଉ ଦମ୍ପତିଙ୍କୁ ୬ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବନି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଦେଶର ଶୀର୍ଷ ଅଦାଲତ ସୋମବାର ‘ବିବାହ ଭାଙ୍ଗିବା କାରଣ’ରୁ ବିବାହ ଭଙ୍ଗ କରାଯାଇପାରିବ ବୋଲି ଏକ ବଡ଼ ରାୟ ଦେଇଛନ୍ତି। ଏହି ରାୟରେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ପାରସ୍ପରିକ ସହମତି ଭିତ୍ତିରେ ଛାଡ଼ପତ୍ର ପାଇଁ ବାଧ୍ୟତାମୂଳକ ୬ ମାସର ଅପେକ୍ଷା ଅବଧିକୁ ଏହି ରାୟର ସର୍ତ୍ତାବଳୀ ଅଧୀନରେ ହଟାଇ ଦିଆଯାଇପାରିବ।
ସୁପ୍ରିମକୋର୍ଟ ଚାହିଁଲେ, ତତ୍କାଳ ହୋଇପାରିବ ଛାଡ଼ପତ୍ର। ଏଥିପାଇଁ ଫ୍ୟାମିଲି କୋର୍ଟରେ ଚକର୍ ମଧ୍ୟ କାଟିବାକୁ ପଡ଼ିବ ନାହିଁ। ସ୍ୱାମୀ-ସ୍ତ୍ରୀ ଭାବେ ଏକାଠି ରହିବା ସମ୍ଭବ ନଥିବା ଦମ୍ପତିଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨କୁ ବ୍ୟବହାର କରି ବିବାହ ବିଚ୍ଛେଦକୁ ଅନୁମତି ଦେଇ ପାରିବେ ବୋଲି କହିଛନ୍ତି।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏଏସ୍ ଓକା, ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ଆମେ ଏପରି କାରଣ ମଧ୍ୟ ନିର୍ଦ୍ଧାରଣ କରିଛୁ ଯାହା ବିବାହ କେବେ ଭାଙ୍ଗିବ ତାହା ନିର୍ଦ୍ଧାରଣ କରିପାରିବ। ବିଶେଷ କରି ରକ୍ଷଣାବେକ୍ଷଣ, ଭରଣପୋଷଣ ଏବଂ ପିଲାଙ୍କ ଅଧିକାରକୁ ନେଇ କିପରି ସନ୍ତୁଳନ ରକ୍ଷା କରାଯାଇପାରିବ ସେ ନେଇ ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ଏହାର ଅର୍ଥ ଛାଡ଼ପତ୍ର ପାଇଁ ଆଉ ଧାର୍ଯ୍ୟ ୬ ମାସ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦମ୍ପତି ପାରିବାରିକ ଅଦାଲତକୁ ନ ଯାଇ ସୁପ୍ରିମକୋର୍ଟରୁ ସିଧାସଳଖ ଛାଡ଼ପତ୍ର ଆଣିପାରିବେ ବୋଲି ଆଜି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଛି।
Powered by Froala Editor