ବ୍ୟାଙ୍କ ଅଫ୍ ବରୋଦା ମୁଖ୍ୟ ନିଯୁକ୍ତ ହେଲେ ଦେବଦତ୍ତ ଚାନ୍ଦ
ନୂଆଦିଲ୍ଲୀ : ପୁଣି ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଭାରତ ସରକାର ୫୨ ବର୍ଷୀୟ ଦେବଦତ୍ତ ଚାନ୍ଦଙ୍କୁ ବ୍ୟାଙ୍କ ଅଫ ବରୋଦା (ବିଓବି)ମୁଖ୍ୟ ରୂପେ ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତା ଜୁଲାଇ ପହିଲାରୁ ଦାୟିତ୍ବ ଗ୍ରହଣ କରିବେ। କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ସେ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ।
ସଂପ୍ରତି ସଞ୍ଜୀବ ଚଢା ବିଓବି ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ କାର୍ଯ୍ୟକାଳକୁ ସରକାର ୩ ମାସ ବୃଦ୍ଧି କରିଥିଲେ। ଏହା ଜୁନ ୩୦ରେ ଶେଷ ହେବ। ଏହାପରେ ଶ୍ରୀ ଚାନ୍ଦ ନୂଆ ଦାୟିତ୍ୱ ନେବେ। ବ୍ୟାଙ୍କ ସେବା କ୍ଷେତ୍ରରେ ସହ ଶ୍ରୀ ଚାନ୍ଦଙ୍କର ୨୭ ବର୍ଷର ଅଭିଜ୍ଞତା ରହିଛି। ୨୦୨୧ ମାର୍ଚ୍ଚରୁ ସେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦେଶକ ରୂପେ କାମ କରୁଛନ୍ତି। ସେ ଉଦ୍ୟୋଗ କ୍ଷେତ୍ରକୁ ଋଣପ୍ରଦାନ, କୋଷାଗାର ଓ ଅନ୍ତର୍ଜାତୀୟ ବ୍ୟାବସାୟିକ ଆଦି ପ୍ରମୁଖ ଦାୟିତ୍ୱରେ ରହିଛନ୍ତି। ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦେଶକ ହେବା ପୂର୍ବରୁ ଶ୍ରୀ ଚାନ୍ଦ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ମୁମ୍ବାଇ ଜୋନ୍ର ମୁଖ୍ୟ ଭାବେ କାମ କରୁଥିଲେ।
ପାଟନାରେ ଥିବା ବ୍ୟାଙ୍କର ଜୋନାଲ ଅଡିଟ ଅଫିସର ମୁଖ୍ୟ ଓ ବରେଲୀରେ ସର୍କଲର ମୁଖ୍ୟ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଶ୍ରୀ ଚାନ୍ଦ ବିଟେକ, ଏମବିଏ ଓ ସିଏଆଇଇବି ଡିଗ୍ରୀ ହାସଲ କରିଛନ୍ତି। ଇକ୍ୱିଟି ରିସର୍ଚ୍ଚରେ ସ୍ନାତକୋତ୍ତର ଡିପ୍ଲୋମା ଡିଗ୍ରୀ ତାଙ୍କ ପାଖରେ ରହିଛି। ବଲାଙ୍ଗିରର ପ୍ୟାଲେସ ଲାଇନ ଅଞ୍ଚଳରେ ଜନ୍ମିତ ଶ୍ରୀ ଚାନ୍ଦ ପୃଥ୍ୱୀରାଜ ହାଇସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ କୃଷି ଯାନ୍ତ୍ରିକ ଓ ପ୍ରାଦୌଗିକ ମହାବିଦ୍ୟାଳୟ (କଲେଜ ଅଫ୍ ଏଗ୍ରିକଲଚର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି)ରୁ ଡିଗ୍ରୀ ହାସଲ କରିଥିଲେ।
Powered by Froala Editor