ମାନସିକ ଅବସାଦଗ୍ରସ୍ତ: ଗୁଜରାଟରେ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩୦୦୨ ଜଣ ଛାତ୍ରଛାତ୍ରୀ
ଅହମଦାବାଦ : ଅହମଦାବାଦସ୍ଥିତ ସେଣ୍ଟର ଫର୍ ଏନ୍ଭାର୍ଣ୍ଣମେଣ୍ଟାଲ ପ୍ଲାନିଂ ଆଣ୍ଡ୍ ଟେକ୍ନୋଲୋଜି (ସିଇପିଟି)ର ଜଣେ ଛାତ୍ର ପାଠପଢ଼ା ଚାପ ପାଇଁ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହା ପ୍ରଥମ ଘଟଣା ନୁହେଁ, ଏନ୍ସିଆର୍ବିର ଭାରତରେ ଦୁର୍ଘଟଣା ଓ ଆତ୍ମହତ୍ୟା ମୃତ୍ୟୁ (ଏଡିଏସ୍ଆଇ) ରିପୋର୍ଟ ଅନୁଯାୟୀ ଗୁଜରାଟରେ ଗତ ୫ ବର୍ଷରେ ୩୦୦୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। କେବଳ ଗତ ୨୦୨୨ରେ ୭ ଜଣ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୨୦, ୨୦୨୧ ଓ ୨୦୨୩ରେ ଗୁଜରାଟର ସମ୍ମାନଜନକ ଅନୁଷ୍ଠାନରୁ ୩ ଜଣ ଡକ୍ତରୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଆଇଆଇଟି-ବମ୍ବେରେ ପଢ଼ୁଥିବା ଗୁଜରାଟର ଆଉ ଜଣେ ଛାତ୍ର ଦର୍ଶନ ସୋଲାଙ୍କି ନିକଟରେ ଆତ୍ମହତ୍ୟା କରିଥିଲେ।
ସିଇପିଟି ବିଶ୍ବବିଦ୍ୟାଳୟର ଶେଷ ବର୍ଷର ଆର୍କିଟେକ୍ଚର ଛାତ୍ର ଶିବ ମହେନ୍ଦ୍ରଭାଇ ମିସ୍ତ୍ରୀ (୨୩) ଆତ୍ମହତ୍ୟା କରିଛନ୍ତି। ସେ ବଡ଼ୋଦରା ବାସିନ୍ଦା। ସେ ତାଙ୍କର ବାପାମାଆ, ଭାଇ, ସାଙ୍ଗ ଓ ଗାର୍ଲଫ୍ରେଣ୍ଡ ଉଦ୍ଦେଶ୍ୟରେ ୪ଟି ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେ ତାଙ୍କ ବାପାମାଆଙ୍କ ଆଶା ପୂରଣ କରିପାରୁ ନ ଥିବାରୁ ଓ ଜୀବନର ଲକ୍ଷ୍ୟପଥରେ ସଫଳ ହୋଇ ପାରୁ ନ ଥିବାରୁ ଏପରି ପଦକ୍ଷେପ ନେଲେ ବୋଲି ଚିଠିରେ ଲେଖିଛନ୍ତି।
ଜାତିଆଣ ପାତରଅନ୍ତର, ଆଞ୍ଚଳିକ ଭେଦଭାବ, ଅସମାନତା, ପାଠପଢ଼ା ବୋଝ, ଫେଲ୍ ହେବାର ଭୟ, ଅସୁସ୍ଥତା, ଏକୁଟିଆପଣ, ପ୍ରେମ, ଶିକ୍ଷାନୁଷ୍ଠାନର ପରିବେଶ, ଦାରିଦ୍ର୍ୟ ବଢ଼ୁଥିବା ବେକାରି ଆଦି ବିଭିନ୍ନ କାରଣରୁ ଗତ ୫ ବର୍ଷରେ ଗୁଜରାଟରେ ୩୦୦୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଅର୍ଥାତ୍ ପ୍ରତିଦିନ ଜଣେ ବା ୨ ଜଣ ଛାତ୍ର ଆତ୍ମହତ୍ୟା କରୁଛନ୍ତି। ଭାରତରେ ପ୍ରତିଦିନ ୩୫ ଜଣ ଛାତ୍ର ଆତ୍ମହତ୍ୟା କରୁଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।
Powered by Froala Editor