ଗଡ଼ିଲା ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍

ପୁରୀ : ହାୱଡ଼ା-ପୁରୀ ମଧ୍ୟରେ ଶୁକ୍ରବାର ପରୀକ୍ଷାମୂଳକ ଯାତାୟାତ କରିଛି ବନ୍ଦେ ଭାରତ ଏକ୍ସପ୍ରେସ୍ (ଦ୍ରୁତଗାମୀ ରେଳ)। ପ୍ରଥମ ପର୍ଯ୍ୟାୟ ଯାତ୍ରା ନିର୍ବିଘ୍ନରେ ଶେଷ ହୋଇଛି। ଦିନ ୧୨ଟା ୩୫ରେ ଏହି ଅତ୍ୟାଧୁନିକ ରେଳଗାଡ଼ି ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲା। ରେଳ ବିଭାଗର କିଛି ଅଧିକାରୀ ଏବଂ ଯାତ୍ରୀ ସେଥିରେ ଆସିଥିଲେ। ୧୧୨୮ ଆରାମଦାୟକ ଶୀତତାପ ନିୟନ୍ତ୍ରିତ ସିଟ୍ ସେଥିରେ ରହିଛି। ପ୍ରତ୍ୟେକ ବଗିରେ ସିସିଟିଭି, ଡିସ୍ପ୍ଲେ ବୋର୍ଡ, ମୋବାଇଲ ଚାର୍ଜିଂ, ଜରୁରୀକାଳୀନ ଆଲାର୍ମ, ୱାଇ ଫାଇ ବ୍ୟବସ୍ଥା ରହିଛି।
ସ୍ୱଦେଶୀ ଜ୍ଞାନ କୌଶଳରେ ବନ୍ଦେ ଭାରତ ରେଳ ନିର୍ମାଣ କରାଯାଇଛି। ସେଥିରେ ରେଳ ଯାତ୍ରୀଙ୍କୁ ବିମାନ ସେବା ପରି ସମସ୍ତପ୍ରକାର ଆରାମଦାୟକ ସେବା ଉପଲବ୍ଧ ହେବ। ଉନ୍ନତମାନର ଶୌଚାଳୟ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ଘଣ୍ଟା ପ୍ରତି ପ୍ରଥମେ ଏହି ରେଳ ୧୩୦ କିମି ବେଗରେ ଚଳାଚଳ କରିବ। ଶୁକ୍ରବାର ଅପରାହ୍ଣ ୧ଟା ୫୦ରେ ବନ୍ଦେ ଭାରତ ଟ୍ରେନ୍ ପୁରୀରୁ ହାୱଡ଼ା ଅଭିମୁଖେ ଯାତ୍ରା କରିଛି। ସୂଚନା ଅନୁଯାୟୀ ଆଗାମୀ ୩୦ ତାରିଖ ଦିନ ଏହାର ଦ୍ୱିତୀୟ ପରୀକ୍ଷାମୂଳକ ଯାତ୍ରା କରାଯିବ। ମେ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଏହି ଟ୍ରେନ୍ ପୁରୀରୁ ହାୱଡ଼ା ନିୟମିତ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଆଗାମୀ ରଥ ଯାତ୍ରା ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ଚଳାଚଳ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଶୁକ୍ରବାର ଟ୍ରାଏଲ ରନ୍ ସମୟରେ ଖୋର୍ଦ୍ଧା-ପୁରୀ ରେଳପଥରେ ସାମାନ୍ୟ ତ୍ରୁଟି ଦେଖିବାକୁ ମିଳିଛି। ଏଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ପାଇଁ ଅଳ୍ପ କିଛି ସ୍ଥାନରେ ରେଳ ଧାରଣା ଉପଯୁକ୍ତ ନଥିବାରୁ ଖୁବ୍ଶୀଘ୍ର ତାହାର ଆବଶ୍ୟକ ମରାମତି ଏବଂ ସୁଦୃଢ଼ୀକରଣ କରାଯିବ। ତେଣୁ ପୁରୀରୁ ଖୋର୍ଦ୍ଧା ମଧ୍ୟରେ ଏହି ଟ୍ରେନ୍ର ବେଗ ଅପେକ୍ଷାକୃତ କମ୍ ରହିବ। ଖୋର୍ଦ୍ଧାଠାରୁ ହାୱଡ଼ା ମଧ୍ୟରେ ପୁଣିଥରେ ୧୬୦ କିମି ବେଗରେ ଚଳାଚଳ କରିବ । ବନ୍ଦେ ଭାରତ ଟ୍ରେନରେ ଯାତ୍ରା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।
Powered by Froala Editor