ରାହୁଲଙ୍କ ଆବେଦନ ଶୁଣାଣିରୁ ଓହରିଗଲେ ବିଚାରପତି
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ପାଇଁ ଗୁଜରାଟ ହାଇକୋର୍ଟର ନିଯୁକ୍ତ ଖଣ୍ଡପୀଠରୁ ଜନୈକ ବିଚାରପତି ଓହରି ଯାଇଛନ୍ତି। ସେ ନିଜକୁ ଏହି ମାମଲାର ଶୁଣାଣି କରିବାରୁ ପ୍ରତ୍ୟାହାର କରିନେଇଛନ୍ତି।
ସୂଚନାନୁଯାୟୀ, ଜଷ୍ଟିସ ଗୀତା ଗୋପୀ କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। ଏଥିସହ ସେ ଏ ନେଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରି ରାହୁଲଙ୍କ ଆବେଦନକୁ ଫେରାଇ ଦେଇଛନ୍ତି। ହେଲେ ସେ ଏପରି କାହିଁକି କରିଛନ୍ତି, ସେନେଇ କିଛି କହିନାହାନ୍ତି। ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ପାଇଁ ଦୁଇ ଦିନ ଲାଗିପାରେ ବୋଲି ଶ୍ରୀ ଗାନ୍ଧିଙ୍କ ଓକିଲ ପିଏସ୍ ଚାପାନେରୀ ଗଣମାଧ୍ୟମକୁ କହିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦ୍ୱାରା ମାନହାନି ମାମଲାରେ ୨ ବର୍ଷ ଦଣ୍ଡିତ କରାଯାଇଛି। ତେବେ ଦଣ୍ଡାଦେଶ ପରେ ତୁରନ୍ତ ରାହୁଲ ଗାନ୍ଧୀ ଜାମିନ ପାଇଛନ୍ତି। ରାହୁଲ ଗାନ୍ଧୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ବୋଲି କୋର୍ଟ ତାଙ୍କ ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଥିଲେ।
Powered by Froala Editor