ଆଜି ଓଡ଼ିଶାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ ସାରି ମଙ୍ଗଳବାର ଓଡ଼ିଶା ଫେରିବେ । ମୁଖ୍ୟମନ୍ତ୍ରୀ ସାତ ଦିନିଆ ଗସ୍ତ ସାରି ସନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ମଙ୍ଗଳବାର ଦିନ ୧୧ଟା ୪୫ରେ ସେ ଜାପାନ ଛାଡ଼ିବେ । ଅପରାହ୍ନରେ ବ୍ୟାଙ୍କକ୍ର ସୁବର୍ଣ୍ଣଭୂମି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ଭୁବନେଶ୍ୱର ଆସିବେ ।ଏହି ବ୍ୟସ୍ତବହୁଳ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜାପାନର ଅନେକ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ରାଜ୍ୟରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ଟୋକିଓରେ ଓଡ଼ିଶା ବିଜନେସ୍ ମିଟ୍ ଆୟୋଜନ କରି ରାଜ୍ୟରେ ଥିବା ଅପାର ସୁଯୋଗକୁ ଉପସ୍ଥାପନ କରିଛନ୍ତି । ନିପନ୍ ଷ୍ଟିଲ୍ର କିମ୍ଟିସୁ ପ୍ଲାଣ୍ଟ ପରିଦର୍ଶନ କରିବା ସହ ସେହି ଢାଞ୍ଚାରେ ଓଡ଼ିଶାରେ ପରିବେଶ ଉପଯୋଗୀ ପ୍ଲାଣ୍ଟ କରିବା ନେଇ ଆଲୋଚନା କରିଛନ୍ତି ।
ରାଜ୍ୟରେ ୩୦ ନିୟୁତ ଟନ୍ କ୍ଷମତାର ଷ୍ଟିଲ୍ ପ୍ଲାଣ୍ଟ ତିଆରି ପାଇଁ ନିପନ୍ ଷ୍ଟିଲ୍ ପ୍ରସ୍ତାବ ଦେଇଛି । ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଓ ଏକାଡେମୀ ପ୍ରତିଷ୍ଠା, ଫ୍ୟୁଜି ଗ୍ରୁପ୍ର ସେଣ୍ଟର ଅଫ ଏକ୍ସିଲେନ୍ସି, ଗ୍ରୀନ୍ ଆମୋନିଆ ପରିବହନ ପାଇଁ ସିପିଂ ଲାଇନ୍, ଗ୍ରୀନ୍ ହାଇଡ୍ରୋଜେନ୍ ସଂରକ୍ଷଣ ପାଇଁ ଟ୍ୟାଙ୍କର, ପର୍ୟ୍ୟଟନ ଓ ହୋଟେଲ ଶିଳ୍ପରେ ନିବେଶ ଭଳି ଏକାଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଯୋଗୁ ରାଜ୍ୟକୁ ନିବେଶ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି ।
Powered by Froala Editor