କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି – ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାବେଳେ, ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ୍ ଭୂତାଣୁ । କୋଭିଡ୍ ଭୂତାଣୁ ଏକ୍ସବିବି – ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପ୍ରଜାତି ପୁଣି ରୂପ ବଦଳାଇଛି । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି – ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛନ୍ତି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ୟ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏକ୍ସ-ବି-ବି ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରମ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ । ୧୫ମାସ ଭିତରେ ଓମିକ୍ରନର ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭାରିଆଣ୍ଟ ଏକ୍ସବିବି ପ୍ରଜାତିର ।
ତେବେ ଇନସାକଗ୍ ପୋର୍ଟାଲରେ ଏପର୍ୟ୍ୟନ୍ତ ଏକ୍ସବିବି – ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନକୁ ତାଲିକାଭୁକ୍ତ କରାଯାଇନାହିଁ । କିନ୍ତୁ ଏହି ନୂଆ ପ୍ରଜାତି କେତେ ମାରାତ୍ମକ ତାହା ସ୍ପଷ୍ଟ ହୋଇନାହିଁ । ଓମିକ୍ରନର ସବୁ ଭାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।
Powered by Froala Editor