ଝାରସୁଗୁଡା ଉପନିର୍ବାଚନ : ସୁଶାନ୍ତ ସିଂଙ୍କ ଦେଖା ନାହିଁ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରୁଛି । ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିଲା । ଏବେ ନେତାମାନଙ୍କୁ ଦାୟିତ୍ୱ ବଣ୍ଟା ଯାଉଛି । ପ୍ରଥମେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ମିଶ୍ର, ସାରଦା ନାୟକଙ୍କୁ ପର୍ୟ୍ୟବେକ୍ଷକ ଭାବେ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା । ଗତକାଲି ଆଉ ୧୨ଜଣ ନେତାଙ୍କୁ ବିଭିନ୍ନ ବ୍ଲକ ଓ ଝାରସୁଗୁଡା ମ୍ୟୁନିସିପାଲିଟି ଦାୟିତ୍ୱ ଦିଆଯାଇଛି । କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ହେଉଛି, ପଶ୍ଚିମ ଓଡିଶାର ଟାଣୁଆ ନେତା ସୁଶାନ୍ତ ସିଂଙ୍କ ଦେଖା ମିଳୁନି । ଝାରସୁଗୁଡା ଉପନିର୍ବାଚନରେ ତାଙ୍କୁ ଦଳ କୌଣସି ଦାୟିତ୍ୱ ଦେଇଛି କି ନାହିଁ ତାହା ବି ସ୍ପଷ୍ଟ ହୋଇନି । ତେବେ ଯେଉଁ ସୁଶାନ୍ତ ସିଂ ପଦ୍ମପୁର, ଉପନିର୍ବାଚନ ସମୟରେ ଆଗରେ ଥିଲେ ଏବେ ତାଙ୍କର ଦେଖା ନମିଳିବା ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରଶ୍ନ ଉଠୁଛି, ଝାରସୁଗୁଡା ଉପନିର୍ବାଚନରୁ ସୁଶାନ୍ତଙ୍କୁ ଜାଣିଶୁଣି ଦଳ ଦୂରେଇ ରଖିଛି, ନା ଏହା ପଛରେ କୌଣସି ସ୍ୱତନ୍ତ୍ର ରଣନୀତି ରହିଛି । କାରଣ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସୁଶାନ୍ତଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ସୁଶାନ୍ତଙ୍କ ସହ ନବ ଦାସଙ୍କ ସମ୍ପର୍କ ଭଲ ନଥିବା ଚର୍ଚ୍ଚା ହେଉଥିଲା ।
Powered by Froala Editor