ଭାଇ ବିଜେପିରେ ମିଶିବା ଖବର ଶୁଣି ବାପା ଭାଙ୍ଗି ପଡ଼ିଲେ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗତକାଲି ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲ, ଭି ମୁରଲୀଧରନ ଏବଂ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନି ବିଜେପିରେ ସାମିଲ ହୋଇଥିଲେ । ତେବେ ଏହାକୁ ଏକେ ଆଣ୍ଟୋନୀ ଗ୍ରହଣ କରିପାରୁ ନାହାନ୍ତି। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ବହୁତ ଦୁଃଖ ଦେଇଛି। ତେବେ କେବଳ ଏକେ ଆଣ୍ଟୋନୀ ନୁହନ୍ତି, ତାଙ୍କ ସାନ ପୁଅ ଅଜିତ ଆଣ୍ଟୋନୀ ମଧ୍ୟ ବଡ଼ ଭାଇ ଅନୀଲଙ୍କ ପଦକ୍ଷେପରେ ଖୁସି ନାହାନ୍ତି। ସେ କହିଛନ୍ତି ଯେ ଅନୀଲ ଆଣ୍ଟୋନୀ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇ ନାହାନ୍ତି। ବିଜେପି ତାଙ୍କୁ କିଛି ଦିନ ପାଇଁ ବ୍ୟବହାର କରି ଫୋପାଡ଼ି ଦେବ।
ଅଜିତ କହିଛନ୍ତି ଯେ କାମ ସରିବା ପରେ ବିଜେପି ତାଙ୍କୁ ଭୃସଙ୍ଗ ପତ୍ର ପରି ଫିଙ୍ଗି ଦେବ। ଅଜିତ କହିଛନ୍ତି ଯେ ବୁଝିବିଚାରି ଭାଇ ଏହି ନିଷ୍ପତ୍ତି ନେଇନାହାନ୍ତି। ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଆମ ପରିବାର ବି ଜାଣିନଥିଲେ । ଆମେ ଗଣମାଧ୍ୟମ ମାଧ୍ୟମରେ ଏହା ଜାଣିବାକୁ ପାଇଲୁ । ଆଉ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ସେ କହିଛନ୍ତି, ଏହି ଖବର ଜାଣିବା ପରେ ବାପା ପୂରା ଭାଙ୍ଗି ପଡ଼ିଥିଲେ। ସେ ମର୍ମାହତ ହୋଇ ଘରର ଏକ କୋଣରେ ବସି ରହିଥିଲେ। ବାପାଙ୍କୁ ଏମିତି ଭାଙ୍ଗି ପଡ଼ିବାର କେବେ ଦେଖି ନଥିଲି।
Powered by Froala Editor