ଧୀରେ ଧୀରେ ମାଡ଼ି ମାଡ଼ି ଆସୁଛି ବାତ୍ୟା ୟଶ

ଭୁବନେଶ୍ୱର: ଧୀରେ ଧୀରେ ମାଡ଼ି ମାଡ଼ି ଆସୁଛି ବାତ୍ୟା ୟଶ । ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି । ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି । ଆଜି ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ । ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ତେବେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ୨୨ଟି ଏନଡିଆରଏଫ ଟିମ ଆସିଯାଇଛି । ଆଜି ଆଉ ୩୦ ଟିମ ଆସିବେ । ଓଡ୍ରାଫ ଟିମ ୫୦ରୁ ୬୦ ଓ ଅଗ୍ନିଶମ ଟିମ ୧୭୫ରୁ ୨୦୦ ପ୍ରସ୍ତୁତ ଅଛନ୍ତି । ୩୫ଟି ଗଛକଟା ଟିମ, ପୂର୍ତ୍ତର ୧୬୫ ଓ ଗ୍ରାମ ଉନ୍ନୟନର ୩୦୦ ଟିମ ପ୍ରସ୍ତୁତ ଅଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯିବ । କଚ୍ଚା ଘରେ ରହୁଥିବା ସବୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯିବ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଆଶ୍ରୟସ୍ଥଳୀକୁ ଲୋକମାନଙ୍କୁ ନିଆଯିବ । ସେଠାରେ ଅଙ୍ଗନବାଡ଼ି, ଆଶା କର୍ମୀ ରହିବେ । ସମସ୍ତଙ୍କୁ ମାସ୍କ ଦିଆଯିବ । ବାତ୍ୟା ବେଳେ ଦଲକା ପବନ ଆସି କିଛି ସମୟ ଶାନ୍ତ ପଡ଼ିଯାଏ । କିଛି ସମୟ ଶାନ୍ତ ପଡ଼ିବା ପରେ ପୁଣି ୨ୟ ଦଫା ପବନ ଆସେ । ତେଣୁ ବାତ୍ୟା ସମ୍ପୂର୍ଣ୍ଣ ନସରିବା ଯାଏ ଘରୁ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟା ପବନ ଆରମ୍ଭରୁ ଶେଷ ଯାଏ ଘର ଭିତରେ ହିଁ ରୁହନ୍ତୁ । ଆମ୍ବ, ପଣସ, ନଡ଼ିଆ ଗୋଟାଇବାକୁ ପବନ ବେଳେ ବହାରକୁ ବାହାରନ୍ତୁ ନାହିଁ । ସାଇକେଲ, ବାଇକ ଧରି ବୁଲିବାକୁ ବାହାରୁଥିବା ପିଲାଙ୍କୁ ବାରଣ କରନ୍ତୁ । ପବନ ପୂର୍ବରୁ ପାଣି ଗଚ୍ଛିତ ରଖନ୍ତୁ । ମଝିରେ କୂଆ ଓ କୂଅକୁ ଯାଅନ୍ତୁନି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ।
ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲାଦେଇ ଅତିକ୍ରମ କରିବା ସମ୍ଭାବନା ଅଧିକ ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ । ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦/୫୦ କିମି ପବନ ହେବ । ୨୫ ତାରିଖ ମଧ୍ୟରାତ୍ର ପରେ ପବନ ବଢିବ, ୮୦ କିମି ଛୁଇଁପାରେ । ୨୬ ତାରିଖ ସକାଳୁ ପବନର ବେଗ ବଢି ୧୨୦୦ରୁ ୧୩୦ କିମି ହେବ । ଉପକୂଳ ଛୁଇଁଲା ବେଳକୁ ପବନର ବେଗ ସର୍ବାଧିକ ୧୫୫ରୁ ୧୮୫ ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପ୍ରଭାବ ପଡ଼ିବ । ସମ୍ପୃକ୍ତ ୪ ଜିଲ୍ଲାରେ ୧୨୦ରୁ ୧୬୦ କିମି ବେଗରେ ପବନ ବୋହିପାରେ । ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ୯୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ବୋହିବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବୋହିବ । କାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ ।
ବାତ୍ୟା ୟଶ ପ୍ରଭାବରେ ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଆସିବା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଜୁଆର ଆସିବା ସମ୍ଭାବନା ରହିଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଓ ସମ୍ପୃକ୍ତ ଅଞ୍ଚଳ ସମତଳ ଥିବାରୁ ଜୁଆର ଆସିପାରେ ବୋଲି ଆଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
Powered by Froala Editor