ଭୁ୍ୟ ଟାୱାର’କୁ ଛୁଇଁଲା ସମୁଦ୍ର ପାଣି

ଏରସମା : ସମ୍ଭାବ୍ୟ ବାତ୍ୟା ୟାସ ପାଇଁ ଏରସମାର ଉପକୂଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ରବିବାର ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଥିବା ବେଳେ ଶିଆଳି ବେଳାଭୂମିରେ ଥିବା ଭୁ୍ୟ ଟାୱାରକୁ ସମୁଦ୍ର ଜୁଆର ଛୁଁଇଥିବା ଦେଖିବାକୁ ମିଳିଛି । ୧୯୯୯ମସିହା ମହାବାତ୍ୟା ଏରସମାରେ ସର୍ବାଧିକ କ୍ଷତି ଘଟାଇଥିଲା । ହଜାର ହଜାର ଲୋକ ସମୁଦ୍ର ଜୁଆରରେ ଭାସି ଯାଇ ପ୍ରାଣ ହରାଇଥିଲେ । ସେ ସମୟର ଭୟଙ୍କର ଦୃଶ୍ୟ ଏ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନାହିଁ । ତେବେ ଏଥର ସ୍ଥିତି କିଛି ଅଲଗା । ବର୍ତ୍ତମାନ ଭଳି ପ୍ରଶାସନ କି ସାଧାରଣ ଲୋକ ସେସମୟରେ ବାତ୍ୟାକୁ ସେପରି ଗୁରୁତ୍ୱ ଦେଇ ନଥିଲେ । ମାତ୍ର ମହାବାତ୍ୟା ପରେ ଅନେକ ବାତ୍ୟା ଏଇ ଏରସମା ଦେଇ ଅତିକ୍ରମ କରିଛି । ଲୋକମାନେ ମହାବାତ୍ୟାରୁ ହାସଲ କରିଥିବା ଅନୁଭୂତିକୁ ନେଇ ସଫଳ ଭାବେ ସେଗୁଡ଼ିକର ମୁକାବିଲା କରିଛନ୍ତି । ତଥାପି ମହାବାତ୍ୟାର ବିଭୀଷିକାକୁ ଅଙ୍ଗେ ନିଭାଇଥିବା ଲୋକମାନେ ସେ କଥା ମନେ ପକାଇ ଅଜଣା ଭୟରେ ଶିହରି ଉଠୁଛନ୍ତି । ପାଣିପାଗ ବିଭାଗର ପୁର୍ବାନୁମାନ ୟାସ ପାରାଦୀପକୁ ଛୁଇଁପାରେ । ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟା ୟାସ ପାଇଁ ଏରସମାର ସମୁଦ୍ର ଉପକୂଳ ଅଞ୍ଚଳରେ ବ୍ୟାପକ ଭାବରେ ପ୍ରସ୍ତୁତି ଆରମ୍ଭ କରାଯାଇଛି । ବିଶେଷକରି ବ୍ଲକର ଗଡ଼ହରିଶପୁର, ପଦ୍ମପୁର, ଗୋଡ଼ା, ଆମ୍ବିକି, ଗଡ଼କୁଜଙ୍ଗ, ନୂଆଗାଁ, ଢିଙ୍କିଆ ଆଦି ପଞ୍ଚାୟତର ସରପଞ୍ଚମାନଙ୍କୁ ସ୍ୱତନ୍ତ୍ର ଭାବରେ ଲୋକମାନଙ୍କୁ ସଚେତନ କରିବା ସହିତ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକୁ ନେବା ପାଇଁ ପରାମର୍ଶ ଦିଆଯାଇଛି ।
ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା ଗଡ଼ହରିଶପୁର ନୋଳିଆ ସାହି ଆଶ୍ରୟସ୍ଥଳୀରେ ପହଞ୍ଚି ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀର ସଭାପତି ସରପଞ୍ଚ ଭୀମସେନ ରାଉତ, ସମ୍ପାଦକ ଦରିଦ୍ର ଭଞ୍ଜନ ଦାସ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଟକୃଷ୍ଣ ମହାନ୍ତି ଗ୍ରାମମାନଙ୍କରେ ବୁଲି ଡାକବାଜି ଯନ୍ତ୍ରରେ ଲୋକମାନଙ୍କୁ ସଚେତନ କରିବା ସହିତ ସରକାରୀ ନିଦେ୍ର୍ଧଶ ପାଇବା କ୍ଷଣି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିଯିବାକୁ କହିଛନ୍ତି । ସେହିପରି ପଦ୍ମପୁର ପଞ୍ଚାୟତ ସରପଞ୍ଚ କେଶବ ପାତ୍ର ଲୋକମାନଙ୍କୁ ଭୟଭୀତ ନ ହୋଇ ସରକାରୀ ନିଦେ୍ର୍ଧଶନାମାକୁ ପାଳନ କରିବାକୁ ଲୋକଙ୍କୁ ବୁଝାଇଛନ୍ତି ।
Powered by Froala Editor