ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ରାମ ମନ୍ଦିରରେ ଭିଡ଼

ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ଅର୍ଥାତ୍ ଶ୍ରୀରାମ ନବମୀ । ରାମ ନାମରେ ଗୁଞ୍ଜରିତ ହେବ ରାମ ମନ୍ଦିର । ମର୍ୟ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମାଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଭୋର୍ ୫ଟାରୁ ଚଳଚଞ୍ଚଳ ହୋଇଛି ରାମ ମନ୍ଦିର । ଏଥିପାଇଁ ସଜେଇ ହୋଇଛି ୟୁନିଟ୍-୩ ରାମ ମନ୍ଦିର ସମେତ ଅନ୍ୟ ରାମ ମନ୍ଦିର ।
ୟୁନିଟ୍-୩ ରାମ ମନ୍ଦିରରେ ଭୋର୍ ୫ଟା ୩୦ରେ ମଙ୍ଗଳ ଆଳତି କରାଯାଇଥିଲା । ଏହାପରେ ଭକ୍ତ ଦର୍ଶନ ଆରମ୍ଭ ହୋଇଛି । ୮ଟାରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଆରମ୍ଭ କରାଯିବ । ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତି ଓ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ସହ ରାତି ୧୧ଟା ପର୍ୟ୍ୟନ୍ତ ଦର୍ଶନ ହେବ ।
ସେହିପରି ୟୁନିଟ୍-୮ରେ ସୀତାରାମ ସାଂସ୍କତିକ ପରିଷଦ ପକ୍ଷରୁ ପ୍ରାତଃ ୬ଟାରୁ ଶ୍ରୀରାମ ନବମୀ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମେ ମଙ୍ଗଳ ଆଳତି, ମହାସ୍ନାନ, ଘୃତଯଜ୍ଞ, ପୁଷ୍ପାଞ୍ଜଳି ସହ ୧୦୮ ଆଳତି ହେବ । ପୂର୍ବାହ୍ନ ୧୧ଟାରୁ ୨ଟା ଯାଏ ରାମ ଖେଚୁଡ଼ି ବିତରଣ କରାଯିବ । ରାମନବମୀ ଅବସରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀରାମ ନବମୀ ମହୋତ୍ସବ ଶୋଭାଯାତ୍ରା ହେବ । ସହିଦନଗର ଦୁର୍ଗାପୂଜା ପଡ଼ିଆରୁ ଅପରାହ୍ନ ୪ଟା୩୦ରୁ ଶୋଭାଯାତ୍ରା ବାହାରିବ ।
Powered by Froala Editor