ପିଲାଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟ ଦିଅନ୍ତୁ ନାହିଁ ଫୋନ
ଭୁବନେଶ୍ୱର: ଆଜିକାଲିକା ପିଲା ମୋବାଇଲ ପ୍ରତି ବେଶ ଆକୃଷ୍ଟ । ନିଜ ବ୍ୟସ୍ତବହୁଳ ଜୀବନଶୈଳୀରେ ପିଲାଙ୍କୁ ସମ୍ଭାଳିବା ପିତା-ମାତାଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହେଉଛି । ତେଣୁ ସବୁଠାରୁ ସହଜ ପନ୍ଥା ଆପଣଉଛନ୍ତି ମୋବାଇଲ ଫୋନ ବା ସ୍ମାର୍ଟ ଫୋନ୍ । ଯାହା ପିଲାଙ୍କୁ ବ୍ୟସ୍ତ ରଖୁଛି ଓ ଏକରମ ପିତା-ମାତାଙ୍କୁ ପିଲା ସମ୍ଭାଳିବାକୁ ପଡ଼ୁନାହିଁ । କିନ୍ତୁ ଯଦି ଆପଣ ବି ଏକରି କରୁଛନ୍ତି ତେବେ ସାବଧାନ । ପିଲାର ମୋବାଇଲ ଦେଖିବା ଅଭ୍ୟାସ ନିଶାରେ ପରିଣତ ହୋଇଯାଇଥାଏ । ଯାହା ପିଲାର ଆଖି ସହିତ ମସ୍ତିଷ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଯଦି ଆପଣ ପିଲାଙ୍କୁ ମୋବାଇଲ ଫୋନ୍ ଦେଉଛନ୍ତି କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ପିଲାମାନେ ଅଉଟଡୋର ଗେମ୍ ଖେଳିଲେ ଏହା ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ହେଲେ ବର୍ତ୍ତମାନ ଅଧିକାଂଶ ପିଲା ମୋବାଇଲ ଫୋନ୍ ଧରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍ ଖେଳୁଛନ୍ତି। ଏହାଦ୍ବାରା କାନ୍ଧ, ଆଣ୍ଠୁ, ଅଣ୍ଟା ଓ ପିଠି ଜାକିହୋଇ ରହୁଥିବାରୁ ପିଲାବେଳୁ ଗଣ୍ଠି ଯନ୍ତ୍ରଣା ଦେଖାଦେଉଛି। ତା’ଛଡ଼ା ଶାରୀରିକ ପରିଶ୍ରମ ନ ହେବା ଏବଂ ଖେଳିବା ବେଳେ ଖାଇବା ଦ୍ୱାରା ମେଦବହୁଳତା ଦେଖାଦେଉଛି। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପିଲାଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟ ଫୋନ ଦିଅନ୍ତୁ ନାହିଁ।
ଅଧିକ ସମୟ ଫୋନ୍ ବ୍ୟବହାର ଯୋଗୁ ଅନେକେ ଖାଦ୍ୟପେୟ ସାଙ୍ଗକୁ ଶୋଇବାରେ ଅବହେଳା କରୁଛନ୍ତି। ଫଳରେ ସେମାନଙ୍କଠାରେ ଚିଡ଼ିଚିଡ଼ା ଲାଗିବା, ଅବସାଦ, ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍, ବଦହଜମି, ହୃଦ୍ ସମସ୍ୟା ଆଖିତଳ କଳା ପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେଉଛି। ତେଣୁ ପିଲାଙ୍କ ଠିକ୍ ସମୟରେ ଖାଇବା ଓ ଶୋଇବା ପ୍ରତି ଯତ୍ନଶୀଳ ହୁଅନ୍ତୁ।
ବର୍ତ୍ତମାନ ଅଧିକାଂଶ ପିଲା ଏତେମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ଯେ, ଅନେକେ ଇଣ୍ଟରନେଟ୍ ଆଡିକ୍ସନ ଡିସ୍ଅର୍ଡର ରୋଗର ଶିକାର ହେଉଛନ୍ତି ା ହଠାତ୍ ସେମାନଙ୍କୁ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ଚିଡ଼ିଚିଡ଼ା ହେବା, ବିନା କାରଣରେ ରାଗିବା କିମ୍ବା ଡିପ୍ରେସନ୍ ବା ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ଆରମ୍ଭରୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସେମାନଙ୍କ ଇଣ୍ଟରନେଟ୍ ବ୍ୟବହାର ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ପିଲା ଇଣ୍ଟରନେଟ୍ରେ କ’ଣ ଦେଖୁଛି ଅବା କେଉଁ ଅନ୍ଲାଇନ ଗେମ୍ ଖେଳୁଛି ସେଥିପ୍ରତି ନଜର ରଖିବା ଲାଗି ପ୍ୟାରେଣ୍ଟିଂ କଣ୍ଟ୍ରୋଲର ସାହାଯ୍ୟ ନିଅନ୍ତୁ।
Powered by Froala Editor