ତେଲ ସରିଯିବା ଆଶଙ୍କାରେ ପେଟ୍ରୋଲ ପମ୍ପ ଭିଡ଼
ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପେଟ୍ରୋଲ ପମ୍ପ ଉପରେ ପଡ଼ିଛି। ଦୁଇଦିନର ଆନ୍ଦୋଳନ ଯୋଗୁଁ ବିଭିନ୍ନ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଆଜି ସକାଳେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। କାଳେ ତେଲ ସରିଯିବ, ସେହି ଆଶଙ୍କାରେ ସେମାନେ ଆଗୁଆ ନିଜ ନିଜ ଗାଡ଼ିରେ ତେଲ ପକାଇବାକୁ ଭିଡ଼ ଲଗାଇଛନ୍ତି।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଟ୍ୟାଙ୍କରଗୁଡ଼ିକ ଯାଇ ଆସି ପାରୁନି। କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଲାଗିଛି। ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି । ଆନ୍ଦୋଳନ ଜାରି ରହିଲେ, ତେଲ ଟ୍ୟାଙ୍କରକୁ ଛଡ଼ା ନ ଗଲେ ଆଗକୁ ସମସ୍ୟା ହୋଇପାରେ ବୋଲି ଡିଲର ସଂଘ ତରଫରୁ କୁହାଯାଇଛି।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲାରେ ଏବେବି ଆନ୍ଦୋଳନ ଚଳାଇଛନ୍ତି ଡ୍ରାଇଭର। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ସମେତ ଅନ୍ୟ ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି।
ସେପଟେ ଡ୍ରାଇଭର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଅବ୍ୟାହତ ରହିବ ନା ସ୍ଥଗିତ ହେବ, ତାହା ଆଜି ସ୍ପଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ ସମ୍ପାଦକ ବାବୁଲା ତ୍ରିପାଠୀ । ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଡ୍ରାଇଭର ମହାସଂଘ ମୁଖ୍ୟ ଶାସନ ସଚିବଙ୍କ ଆଗରେ ସେମାନଙ୍କର ୧୦ ଦଫା ଦାବି ଉପସ୍ଥାପନ କରିଥିଲେ । ସରକାର ତିନି ମାସରେ ଦାବି ଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତ ଦେଇଛନ୍ତି । ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର ନେଇ ସୂଚନା ଦେଇନାହିଁ । ଆଜି ହୁଏତ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିପାରନ୍ତି ।
Powered by Froala Editor