କେ. କବିତାଙ୍କୁ ପୁଣି ନୋଟିସ ଜାରି କଲା ଇଡି
ମନି ଲଣ୍ଡରିଂ ମାମଲାରେ ବିଆର୍ଏସ୍ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ସମନ ଜାରି କରିଛି ଇଡି। କାରଣ ସେ ସୁପ୍ରିମ୍କୋର୍ଟରେ ତାଙ୍କ ବିଚାରାଧୀନ ଆବେଦନକୁ ଦର୍ଶାଇ ଇଡ଼ିର ନୋଟିସକୁ ଏଡ଼ାଇ ଦେଇଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ତାଙ୍କୁ ୧୧ ତାରିଖରେ ଜେରା କରିଥିଲା। ଆଜି ପୁଣି ଜେରା କରିବାକୁ ତାଙ୍କୁ ନୋଟିସ ହୋଇଥିଲେ ହେଁ ସେ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି।
କବିତା ନିଜେ ଇଡି ଅଫିସକୁ ନ ଯାଇ ବିଆରଏସ୍ର ସାଧାରଣ ସମ୍ପାଦକ ସୋମା ଭାରତ କୁମାରଙ୍କୁ ପଠାଇଥିଲେ। ସୋମା ଇଡି କାର୍ଯ୍ୟାଳୟରେ ପହଞ୍ଚି କବିତାଙ୍କ ନିଷ୍ପତ୍ତି ଶୁଣାଇଥିଲେ। କିନ୍ତୁ ଇଡି ଏହାକୁ ଗ୍ରହଣ ନ କରି କବିତାଙ୍କୁ ମାର୍ଚ୍ଚ ୨୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପୁଣି ସମନ କରିଛି।
ଇଡିକୁ ଲେଖିଥିବା ଚିଠିରେ କବିତା କହିଛନ୍ତି, ସମନରେ ଥିବା ବିଷୟବସ୍ତୁ ଅନୁଯାୟୀ ବ୍ୟକ୍ତିଗତ ଭାବେ ହାଜର ହେବାର କୌଣସି ଆବଶ୍ୟକ ନାହିଁ। ତେଣୁ ସେ ନିଜର ପ୍ରତିନିଧିଙ୍କୁ ଇଡି ଅଫିସକୁ ପଠାଉଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ଅପେକ୍ଷା କରନ୍ତୁ।
ଇଡି ସୂତ୍ରରୁ ପ୍ରକାଶ ଯେ ତଦନ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ତେଲେଙ୍ଗାନା ଏମଏଲସି କେ କବିତାଙ୍କ ୬ ପୃଷ୍ଠାର ‘ରିପ୍ରେଜେଣ୍ଟଟେସନ’କୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏବଂ ତାଙ୍କୁ ମାର୍ଚ୍ଚ ୨୦ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି।
Powered by Froala Editor