ପ୍ରାଥମିକ ଶିକ୍ଷକ ସଂଘର ୟୁନିଫର୍ମ ବର୍ଜନ ନିଷ୍ପତ୍ତି
ଭୁବନେଶ୍ୱର: ବୁଧବାର ରାଜଧାନୀର ଲୋୟର ପିଏମଜିଠାରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପାଇଁ ଏକାଠି ହୋଇଥିଲେ। ୩ ଦଫା ଦାବି ନେଇ ସେମାନେ ସେଠାରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଥାଆନ୍ତେ। କିନ୍ତୁ ପୋଲିସ ଅନୁମତି ନମିଳିବାରୁ ସେମନେ ପ୍ରଦର୍ଶନୀ ପଡ଼ିଆରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହାପରେ ଶିକ୍ଷକ ସଂଘର ୧୧ ଜଣିଆ ପ୍ରତିନିଧି ଦଳ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସହିତ ଆଲୋଚନା କରିଥିଲେ।ଏହି ବୈଠକ ପରେ ମନ୍ତ୍ରୀ ସମୀର ଦାସ ଶିକ୍ଷକଙ୍କ ଦାବିକୁ ନେଇ ଉଚ୍ଚ ସ୍ତରୀୟ କମିଟିରେ ଜଣାଇବେ ବୋଲି କହିଛନ୍ତି। ସେପଟେ ଏହି ଆଲୋଚନାରେ କୌଣସି ନିସ୍କର୍ଷ ନବାହାରିବାରୁ ପ୍ରାଥମିକ ଶିକ୍ଷକ ସଂଘ ୟୁନିଫର୍ମ ବର୍ଜନ କରିବାନେଇ ନିଷ୍ପତ୍ତି ନେଇଛି। କିନ୍ତୁ ଏପରି ନକରିବାକୁ ଶିକ୍ଷାମନ୍ତ୍ରୀ ଶିକ୍ଷକମାନଙ୍କୁ ଅନୁରୋଧ କରିଛନ୍ତି।
ଖବର ଅନୁସାରେ, ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଟରେ ଶିକ୍ଷକ ସଙ୍ଘ ପକ୍ଷରୁ ୧୧ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଆଲୋଚନା ପରେ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହଛନ୍ତି ଯେ, ‘’ଶିକ୍ଷକମାନଙ୍କ ସହ ଆଲୋଚନା ହେଲା, ପୂର୍ବରୁ ଉଚ୍ଚ ସ୍ତରୀୟ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା। ସେମାନଙ୍କ ଦାବି ଏହି କମିଟିକୁ ପଠାଯିବ। ତାଙ୍କ ଦାବି ନେଇ ଆଲୋଚନା ଜାରି ରହିଛି। ବିଭିନ୍ନ ପର୍ୟ୍ୟାୟରେ ଆହୁରି ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସେମାନଙ୍କର ଦାବି ବିଷୟରେ ସମାଧାନ ହେବ। ଏହା ସହିତ ଶିକ୍ଷକ ସମାଜକୁ ଅନୁରୋଧ ସେମାନେ ଗଣବେଶ (ୟୁନିଫର୍ମ) ବର୍ଜନ କରନ୍ତୁ ନାହିଁ, ଏହି ନିଷ୍ପତ୍ତିରୁ ବିରତ ରୁହନ୍ତୁ’’।
Powered by Froala Editor