ଦୁଇ ପତ୍ନୀଙ୍କ ସହ ସମୟ ବାଣ୍ଟ ; ପ୍ରଥମ ସ୍ତ୍ରୀ ସହ ତିନି ଦିନ, ଦ୍ୱିତୀୟ ସହ ତିନି ଦିନ

ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିବା ଦଣ୍ତନୀୟ ଅପରାଧ । କିନ୍ତୁ ମଧ୍ୟପ୍ରଦେଶରେ ଜଣେ ୨୮ ବର୍ଷୀୟ ଯୁବକ ଦୁଇଟି ବିବାହ କରି ମଧ୍ୟ ଉଭୟଙ୍କ ସହ ଖୁସିରେ ରହୁଛନ୍ତି । ଦୁଇ ପତ୍ନୀଙ୍କ ସହ ସେ ଏକ ଚୁକ୍ତି ମଧ୍ୟ କରିଛନ୍ତି । ଚୁକ୍ତି ଅନୁଯାୟୀ ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହ ଏବଂ ପରବର୍ତ୍ତୀ ତିନିଦିନ ଦ୍ୱିତୀୟ ସ୍ତ୍ରୀ ସହ ବିତାଇବାକୁ ରାଜି ହୋଇଛନ୍ତି । ତେବେ ରବିବାରଟି କାହା ସହ କଟାଇବେ ତାହା ତାଙ୍କ ଇଚ୍ଛା ଉପରେ ଛଡ଼ାଯାଇଛି ।
୨୮ ବର୍ଷୀୟ ଜଣେ ସଫ୍ଚୱେୟାର ଇଞ୍ଜିନିୟର ୨୦୧୮ରେ ୨୬ ବର୍ଷୀୟ ଯୁବତୀଙ୍କୁ ବିବାହ କରିଥିଲେ । ଗୁରୁଗ୍ରାମରେ ଏକ କମ୍ପାନୀରେ କାମ କରୁଥିବା ବେଳେ ସେ ପତ୍ନୀଙ୍କ ସହ ସେଠାରେ ଦୁଇ ବର୍ଷ ମଧ୍ୟ ରହିଥିଲେ । କିନ୍ତୁ ୨୦୨୦ରେ କୋଭିଡ୍ ମହାମାରୀ କାରଣରୁ ସେ ନିଜ ଘର ଗ୍ୱାଲିୟର୍କୁ ଫେରିଆସିଥିଲେ ଏବଂ ଘରୁ ରହି କାମ କରୁଥିଲେ । ଦୁହିଁଙ୍କର ଏକ ପୁତ୍ର ସନ୍ତାନଟିଏ ଅଛି । ଘରେ ରହିବାର କିଛିଦିନ ମଧ୍ୟରେ ସେ ପୁଣିଥରେ ଗୁରୁଗ୍ରାମ ଫେରିଯାଇଥିଲେ । କୋଭିଡ୍ ସ୍ଥିତି ସୁଧୁରିବା ପରେ ମଧ୍ୟ ସେ ଆଉ ଘରକୁ ଫେରିନଥିଲେ । ତାଙ୍କ ସ୍ତ୍ରୀ ନିଜ ପୁଅକୁ ଧରି ଗୁରୁଗ୍ରାମ ପହଞ୍ଚିବା ପରେ ଜାଣିପାରିଥିଲେ ଯେ, ତାଙ୍କ ସ୍ୱାମୀ ଅଫିସ୍ର ଜଣେ ସହକର୍ମୀଙ୍କ ସହ ଦ୍ୱିତୀୟ ବିବାହ କରି ରହୁଛନ୍ତି । ସେମାନଙ୍କର ଏକ ଝିଅଟେ ଅଛି । ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଫ୍ୟାମିଲି କୋର୍ଟରେ ସ୍ୱୀମୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର କରିଥିଲେ । ଏହାପରେ କୋର୍ଟ ପକ୍ଷରୁ ଦୁହିଁଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଜଣେ କାଉନ୍ସିଲର୍ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଓକିଲ ଜଣକ ଯୁବକଙ୍କୁ ବୁଝାଇଥିଲେ ଯେ, ଯଦି ସେ ବୁଝାମଣା ନ କରନ୍ତି ତାଙ୍କୁ ଦ୍ୱିତୀୟ ବିବାହ ପାଇଁ କୋର୍ଟ ପକ୍ଷରୁ ଦଣ୍ତ ମିଳିବା ସହ ଚାକିରି ମଧ୍ୟ ଯିବାର ସମ୍ଭାବନା ରହିଛି ।
ଏହାପରେ ଯୁବକ ଜଣକ ଦୁଇଟି ସ୍ତ୍ରୀଙ୍କ ସହ ଏକ ଚୁକ୍ତି କରିଥିଲେ । ଯେଉଁ ଚୁକ୍ତିରେ ସପ୍ତାହର ପ୍ରଥମ ତିନି ଦିନ ପ୍ରଥମ ସ୍ତ୍ରୀ ସହ ଏବଂ ପରବର୍ତ୍ତୀ ତିନିଦିନ ଦ୍ୱିତୀୟ ସ୍ତ୍ରୀ ସହ ବିତାଇବେ।
Powered by Froala Editor