ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ!

ପାଣି ବିନା ଜୀବନର କଳ୍ପନା ବି କରାଯାଇ ପାରେନା। ଯଦି ପାଣି ନଥାନ୍ତା ପୃଥିବୀରେ ଜୀବନ ମଧ୍ୟ ନଥାନ୍ତା। ଏକ ସମୟ ଥିଲା ଯେତେବେଳେ ଲୋକେ ନଦୀ, ପୁଷ୍କରିଣୀ ଓ କୂଅ ପାଣିରେ ସେମାନଙ୍କ ଶୋଷ ମେଣ୍ଟଉଥିଲେ। ପରେ ସମୟ ଆସିଲା ନଳ କୂଅର, ସେ ପର୍ୟ୍ୟନ୍ତ ମଧ୍ୟ ସବୁ ଠିକ୍ ଠାକ୍ ଥିଲା। ହେଲେ ଯେବେଠୁ ପ୍ଲାଷ୍ଟିକ୍ ବୋତଲରେ ପ୍ୟାକ ହୋଇ ମିନେରାଲ ପାଣି ବିକ୍ରି ଆରମ୍ଭ ହେଲାଣି ସେବେଠୁ ଆରମ୍ଭ ହୋଇଛି ଜାବତୀୟ ସମସ୍ୟା। ପ୍ଲାଷ୍ଟିକ୍ ବୋତଲରେ ବନ୍ଦ ପାଣି ପ୍ରଥମେ ବଡ଼ ହୋଟେଲମାନଙ୍କରେ ମିଳୁଥିଲା। ହେଲେ ଏବେ ରାସ୍ତା କଡ ଦୋକାନରେ ବି ବିକ୍ରି ହେବାକୁ ଲାଗିଲାଣି। ତେବେ ଯାହାକୁ ଆପଣ ମିନେରାଲ ୱାଟର କହି ପିଉଛନ୍ତି ତାହା କେତେ ହାନୀକାରକ ହୁଏତ ଅନୁମାନ ବି କରିପାରିବେନି।
ଫ୍ରଣ୍ଟିୟର ଡଟ୍ ଓଆରଜିଙ୍କ ଗବେଷଣାରୁ ଜଣାପଡିଛି ଯେ ଏହି ବୋତଲ ବନ୍ଦ ପାଣି ଉପରେ ସୂର୍ୟ୍ୟଙ୍କ କିରଣ ପଡିବାମାତ୍ରେ ଏଥିରେ ଥିବା ମାଇକ୍ରୋ ପ୍ଲାଷ୍ଟିକ ପାଣିରେ ମିଶିବାକୁ ଲାଗେ। ଯାହା ଆମ ଶରୀରକୁ ଯାଇ ବଡି ହର୍ମୋନକୁ କ୍ଷତିରେ ପକାଇଥାଏ। ଏହି ମାଇକ୍ରୋ ପ୍ଲାଷ୍ଟିକ୍ ଆମର ଏଣ୍ଡୋକ୍ରାଇନ ସିଷ୍ଟମକୁ ମଧ୍ୟ କ୍ଷତିକରିପାରେ। ଯଦି କେହି ଦୀର୍ଘ ସମୟ ଧରି ଏପରି ବୋତଲ ବନ୍ଦ ପାଣିର ବ୍ୟବହାର କରୁଥାନ୍ତି ତାଙ୍କଠାରେ ଇନଫର୍ଟିଲିଟି ସମସ୍ୟା ଉତ୍ପନ୍ନ ହୋଇପାରେ।
ଏପରି ହେଲେ ଏକ ବୃହତ ଜନସଂଖ୍ୟା ବୋତଲ ବନ୍ଦ ପିଇବା ପାଣି ଯୋଗୁ ଭବିଷ୍ୟତରେ ପିତାମାତା ହେବାକୁ ଅସମର୍ଥ ହେବେ ବୋଲି ଏବେ ଆଶଙ୍କା କରାଗଲାଣି। କେବଳ ଇନଫର୍ଟିଲିଟି ନୁହେଁ ଏହା ଆମର ଜକୃତକୁ ମଧ୍ୟ ପ୍ରଭାବିତ କରିପାରେ। ବୋତଲବନ୍ଦ ପାଣିର ସବୁଠୁ ବଡ଼ ସମସ୍ୟା ହେଉଛି ଏହାକୁ ପ୍ୟାକେଜିଂ କରାଯାଉଥିବା ପ୍ଲାଷ୍ଟିକ ବୋତଲ। ଏଥିରେ ଥିବା ପାଣି ବ୍ୟବହାର ହୋଇଯିବା ପରେ ବୋତଲର କୌଣସି ଆବଶ୍ୟକତା ନଥାଏ। ଏଣୁ ଲୋକେ ତାକୁ ଏଣେତେଣେ ଫିଙ୍ଗିଥାନ୍ତି। ଯାହା ଆମ ପରିବେଶ ଲାଗି ଏବେ ସମସ୍ୟା ହୋଇ ଉଭା ହୋଇଛି।
ରିପୋର୍ଟ ଅନୁସାରେ ସାରା ପୃଥିବୀରେ ୧ ମିନିଟ୍ରେ ୧୦ଲକ୍ଷ ବୋତଲ ପାଣି ବିକ୍ରି ହେଉଛି। ଇୟୁରୋ ମନିଟର ଇଣ୍ଟରନ୍ୟାସନାଲଙ୍କ ଏକ ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ସାରା ବିଶ୍ୱରେ ୪୮୦ ବିଲିୟନ ପ୍ଲାଷ୍ଟିକ ବୋତଲ ବିକ୍ରି କରାଯାଇଛି। ବୋତଲ ପାଣି ପିଇବାକୁ ଲୋକେ ଏଥି ପାଇଁ ବାଧ୍ୟ ହେଉଛନ୍ତି ଯେ ପିଇବା ପାଇଁ ସ୍ୱଚ୍ଛ ପାଣି ଏବେ କଳରୁ ମିଳୁ ନାହିଁ। ସହରାଞ୍ଚଳରେ ରହୁଥିବା ଲୋକେ ଯେଉଁମାନେ ଘରେ ଆକ୍ୱାଗାର୍ଡ ଲଗାଇ ପାରୁ ନାହାନ୍ତି ସେମାନେ ପାଣି ବୋତଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।
ତେବେ ଜାଣିଲେ ଆଶ୍ଚର୍ୟ୍ୟ ହେବେ ପାଣି ପ୍ଲାଷ୍ଟିକ ବୋତଲରେ ରହି ଯେତିକି ପ୍ରଦୂଷିତ ହେଉଛି ତାହା କଳରେ ବାହରୁଥିବା ପାଣିଠାରୁ ମଧ୍ୟ ଅଧିକ ପ୍ରଦୂଷିତ । ଏଥିରେ ଲେସେଣ୍ଟ ଜର୍ଣ୍ଣାଲରେ ପ୍ରକାଶିତ ଗ୍ଲୋବାଲ ବର୍ଡନ ଅଫ ଡିଜିଜ ଷ୍ଟଡିର ଏକ ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଦୂଷିତ ପେୟ ଜଳ କାରଣରୁ ସାରା ପୃଥିବୀରେ ୧୨ ଲକ୍ଷ ଲୋକଙ୍କୁ ପ୍ରାଣ ହରାଇବାକୁ ପଡିଛି।
Powered by Froala Editor