ମନକୁ ରଙ୍ଗିନ କରିବ, ଆସୁଛି ରଙ୍ଗର ପର୍ବ ହୋଲି
ଆସୁଛି ଦୋଳପୂର୍ଣ୍ଣିମା । ପ୍ରେମ,ଆନନ୍ଦ ଓ ଉତ୍ସାହ ନେଇ ସମସ୍ତଙ୍କ ମନକୁ ରଙ୍ଗିନ କରିଦେବା ପାଇଁ ଆସୁଛି ରଙ୍ଗର ପର୍ବ ହୋଲି । ଫଲଗୁ କହିଲେ ଆମେ ବୁଝୁ ଗୟାଠାରେ ଥିବା ଅନ୍ତଃସଲିଳା ନଦୀକୁ । ସେଇ ଅଗଭୀର ନଦୀ ଶଯ୍ୟାରେ ପିତୃ ଲୋକଙ୍କୁ ପିଣ୍ଡଦାନ ଦିଆଯାଏ । କିନ୍ତୁ ଫଲଗୁର ଦୁଇଟି ଅର୍ଥ - ବସନ୍ତକାଳ ଓ ଅବିର ବା ଲୋହିତବର୍ଣ୍ଣର ଚୂର୍ଣ୍ଣ । ଦୋଳପୂର୍ଣ୍ଣିମା ଅବସରରେ ଯେଉଁ ବସନ୍ତ ଉତ୍ସବ ହୁଏ, ସେଥିରେ ଏହି ଅବିର ଓ ଫଗୁ ରେ ରଙ୍ଗ ଖେଳ ହୁଏ ।
ଆମ ଦେଶରେ ଅନେକ ଅଂଚଳରେ ଏହିଦିନ ହୁଏ ହୋଲିକା ଦହନ । କଥିତ ଅଛି ଯେ ହୋଲିକା ହେଉଛି ଦୈତ୍ୟ ହିରଣ୍ୟ କସ୍ୟପର ଭଉଣୀ । ତାହାର ଦହନ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ । ଶ୍ରୀମନ୍ଦିର ସମାଚାର ରୁ ସୂଚିତ ହୁଏ , ହୋଲିକା ହେଉଛି ଉକ୍ରଳର ମେଷା । ସେ ସ୍ୱର୍ଗରେ ଦେବତା ମାନଙ୍କର ବସନ୍ତ ଉତ୍ସବକୁ ପଣ୍ଡ କରୁଥିବାରୁ, ଦେବତା ମାନେ ଶ୍ରୀକୃଷ୍ଣ ,ରାଧା ଓ ଗୋପାଙ୍ଗନା ମାନଙ୍କୁ ନେଇ ମର୍ତ୍ୟରେ ବସନ୍ତ ଉତ୍ସବ ପାଳନ କଲେ । କିନ୍ତୁ ମେଷା ବସନ୍ତ,ହାଡ଼ଫୁଟି , ମିଳିମିଳା ଆଦି ନାନା ବିସ୍ଫୋଟକ ରୋଗ ସୃଷ୍ଟି କରି ଉତ୍ସବରେ ବିଘ୍ନ କଲା । କୃଷ୍ଣ ଏହା ଜାଣି, ଫାଲଗୁନ ଶୁକ୍ଳ ଦଶମୀରେ ଚାଚେରୀ ଯାତ୍ରା କଲେ । ନାନା ବର୍ଣ୍ଣର ଔଷଧୀୟ ଉପାଦାନରେ ନିର୍ମିତ ଫଲଗୁ ଉଡ଼ାଇ ଏହିସବୁ ବିସ୍ଫୋଟକ ରୋଗକୁ ପ୍ରତିହତ କଲେ , ନଗର ଭ୍ରମଣ କରି ଶେଷରେ ହୋଲିକା ରହୁଥିବା ସ୍ଥାନ ପୋଡ଼ି ଦେଲେ ।
ତାହାରି ଅନୁରୂପ ,ଏବେ ଶ୍ରୀ ଜଗନ୍ନାଥଙ୍କ ଦୋଳଯାତ୍ରା ବା ଚାଚେରୀଲୀଳାରେ ଅନୁଷ୍ଠିତ ହେଉଛି ମେଷାମନ୍ଦିର ଦାହ ବା ମେଣ୍ଢାକୁଡ଼ିଆ ପୋଡ଼ି । ମେଣ୍ଢାକୁଡ଼ିଆ ପୋଡ଼ିର ଅଗ୍ନି “ବିଷ୍ଣୁ ରୁଦ୍ର ସମୁଭୂତ ମହାଶନ ହୁତାଶନ” ବୋଲି ଶ୍ରୀମନ୍ଦିର ସମାଚାରରେ ଉଲ୍ଲେଖ ଅଛି । ଫଲଗୁ ଦାନ ବା ଅବିର ଖେଳ ଲୋକମଙ୍ଗଳକାରୀ ବୋଲି ସେଥିରେ ଉଲ୍ଲେଖ ଅଛି ।
Powered by Froala Editor