ଏଣିକି ‘ଦରବାର ହଲ୍’ ନୁହେଁ ‘ଗଣତନ୍ତ୍ର ମଣ୍ଡପ’

ରାଷ୍ଟ୍ରପତି ଭବନର ଦରବାର ହଲ୍’ ଏବଂ ‘ଅଶୋକ ହଲ୍’ର ନାମ ପରିବର୍ତ୍ତନ କରାଯାଇଛି। ଅଶୋକ ହଲର ନାମ ଅଶୋକ ମଣ୍ଡପ ହୋଇଥିବା ବେଳେ ଦରବାର ହଲର ନାମ ଗଣତନ୍ତ୍ର ମଣ୍ଡପ ରଖାଯାଇଛି। ରାଷ୍ଟ୍ରପତି ଭବନ ତରଫରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ପରିବର୍ତ୍ତିତ ନାଁକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତି ଭବନରେ ଥିବା ହଲର ନାମ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ଅଶୋକ ଏକ ଭଲ ନାମ। ରାଷ୍ଟ୍ରପତି ଭବନର ସବୁଠାରୁ ଭବ୍ୟ ହଲ୍ ହେଉଛି ଦରବାର ହଲ୍, ଯାହାକୁ ବର୍ତ୍ତମାନ ଗଣତନ୍ତ୍ର ମଣ୍ଡପ ନାମରେ ନାମିତ କରାଯାଇଛି। ଦରବାର ହଲ୍ ପୂର୍ବରୁ ଏହା ଥ୍ରୋନ ରୁମ୍ ଭାବରେ ଜଣାଶୁଣା ଥିଲା ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ସ୍ବାଧୀନ ଭାରତର ପ୍ରଥମ ସରକାର ଏଠାରେ ଅଗଷ୍ଟ ୧୫, ୧୯୪୭ରେ ଶପଥ ଗ୍ରହଣ କରିଥିଲେ। ୧୯୪୮ମସିହାରେ, ସି ରାଜାଗୋପାଲାଚାରୀ ଦରବାର ହଲରେ ଭାରତର ଗଭର୍ଣ୍ଣର ଜେନେରାଲ୍ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୭୭ମସିହାରେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ଦେହାନ୍ତ ପରେ ଭାରତର ପଞ୍ଚମ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦରବାର ହଲର ବ୍ୟବହାର କରାଯାଇଥିଲା। ସେହିଭଳି ଅଶୋକ ହଲରେ ବେଲଜିୟମ ଝୁମର ସହ ବହୁତ ଦାମୀ ଚିତ୍ର ଲଗାଯାଇଛି।
ରାଷ୍ଟ୍ରପତି ଭବନ ତରଫରୁ ଜାରି ଏକ ବୟାନରେ କୁହାଯାଇଛି, ‘ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ନିବାସ, ରାଷ୍ଟ୍ରର ପ୍ରତୀକ ଏବଂ ଲୋକଙ୍କ ଅମୂଲ୍ୟ ଐତିହ୍ୟ । ଏହାକୁ ଲୋକଙ୍କ ନିକଟରେ ଅଧିକ ସୁଗମ କରିବା ପାଇଁ ପ୍ରୟାସ ଜାରି ରହିଛି । ରାଷ୍ଟ୍ରପତି ଭବନର ମାହୋଲକୁ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଫଳିତ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି ।’
Powered by Froala Editor