ସାରା ଦେଶରେ ଚାଂଚଲ୍ୟ, ଚିରଦିନ ପାଇଁ ଆଖିବୁଜିଲେ ନବ ଦାସ
ସାରା ରାଜ୍ୟ ସ୍ତବ୍ଧ । କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଚାଂଚଲ୍ୟ । ଓଡ଼ିଶାର ରାଜନୀତି ଇତିହାସରେ କେବେ ବି ଏପରି ଘଟଣା ଘଟିନଥିଲା । ଦିନଦ୍ୱିପହରେ ପୋଲିସ ଉପସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଆଉ ଏହି ଗୁଳିମାଡରେ ସେ ଚିରନିଦ୍ରାରେ । ଗୁଳି କେହି ପେଶାଦାର ଅପରାଧୀ ମାରିନଥିଲେ, ମାରିଥିଲେ ଜଣେ ପୁଲିସ କର୍ମଚାରୀ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାହିଁକି କେଉଁ କାରଣରୁ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳିମାରିଲେ ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।
ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସେହି ଗାନ୍ଧୀ ଛକ ପୋଲିସ ଆଉଟପୋଷ୍ଟରେ ମୁତୟନ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଛନ୍ତି । ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେଠାରେ ମୁତୟନ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଓ ଅନ୍ୟଜଣେ କନେଷ୍ଟବଳ । ସବୁ ଏତେ ହଠାତ ଘଟିଗଲା ଯେ, କେହି କିଛି ବୁଝି ପାରିନଥିଲେ ।
ଗୁଳିକାଣ୍ଡ ପରେ ଗୋପାଳଙ୍କୁ କାବୁ କରି ପୋଲିସ ନିଜ ହେପାଜତରେ ରଖିଛି । ପରେ ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଏତେ ସଂକଟାପନ୍ନ ଥିଲା ଯେ ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲକୁ ଅଣାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦରରୁ ଆପୋଲୋ ପର୍ୟ୍ୟନ୍ତ ଗ୍ରୀନ କରିଡର କରାଯାଇଥିଲା । ଖୁବ କମ ସମୟ ଭିତରେ ଅପୋଲୋ ପହଁଚାଯାଇଥିଲା । ଆପୋଲୋର ବିଶେଷଜ୍ଞ ଡାକ୍ତରୀ ଟିମ୍ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । କଟକ ଏସସିବି ମେଡିକାଲ ଓ କ୍ୟାପିଟାଲ୍ ହସପିଟାଲର ଡାକ୍ତରୀ ଟିମ୍ ଆପୋଲୋରେ ପହଁଚିଥିଲେ । ହେଲେ ଦୀର୍ଘ ଘଣ୍ଟାର ଚିକିତ୍ସା ପରେ ଶେଷରେ ବିଫଳ ହୋଇଥିଲେ ଡାକ୍ତରୀ ଟିମ ଆଉ ଆଖି ବୁଜିଥିଲେ ମନ୍ତ୍ରୀ ନବ ଦାସ ।
Powered by Froala Editor