ସତର୍କ : ଆସୁଛି ସୁପର-ଏଲନିନୋ
ଆସୁଛି ସୁପର-ଏଲନିନୋ। ସତର୍କ କରାଇଲା ବିଶ୍ୱ ପାଣିପାଗ ସଂସ୍ଥାନ। କିଛି ଦିନ ଭିତରେ ଦେଖାଇପାରେ ପ୍ରଭାବ। ୧୮୭୭ ଭଳି ପ୍ରଭାବିତ କରିପାରେ ବୋଲି ପୂର୍ବାନୁମାନ କରିଛି ବିଶ୍ୱ ପାଣିପାଗ ସଂସ୍ଥାନ। ବିଶ୍ବ ପାଣିପାଗ ସଂଗଠନ, WMO କହିଛି ଯେ ଏଲ ନିନୋ ସୃଷ୍ଟି ହେବା ନେଇ ଅନୁକୂଳ ସ୍ଥିତି ସୃଷ୍ଟି ହେଉଛି। ଯାହାର ପ୍ରଭାବରେ ଏହି ବର୍ଷ ସାରା ବିଶ୍ୱରେ ଅତି ଖରାପ ପାଗ ଅନୁଭୂତ ହେବ। ଜଳବାୟୁ ପରିବର୍ତ୍ତନକୁ ଗୁରୁତର କରିପାରେ ଏହି ଶକ୍ତିଶାଳୀ ଏଲନିନୋ।
ଏକାଧିକ ଦେଶରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇପାରେ। ବିଶ୍ୱରେ କିଛି ମାସରେ ଭୟଙ୍କର ପ୍ରାକୃତିକ ବିପଦ ହୋଇପାରେ! ଗ୍ରୀଷ୍ମ ଲହରୀ, ବନ୍ୟା ଏବଂ ମରୁଡ଼ି ଆସିପାରେ। ପ୍ରଶାନ୍ତ ମହାସାଗରରେ ସମୁଦ୍ର ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବଂ ଏଲ୍ ନିନୋର ପୁନରାବୃତ୍ତି ସମ୍ପର୍କରେ ବିଶ୍ୱ ପାଣିପାଗ ସଂଗଠନ (WMO) ଏକ ଚେତାବନୀ ଜାରି କରିଛି।
ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ସୃଷ୍ଟି ହେବା ନେଇ ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ଅତି କମରେ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବର୍ଷ ଏକ ଶକ୍ତିଶାଳୀ ଏଲ୍ ନିନୋ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ କିମ୍ବା କିଛି ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି କରିପାରେ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ।
ବର୍ଷା ହ୍ରାସ ଦେଶର କୃଷି ଅର୍ଥନୀତି ଏବଂ ଜଳ ସୁରକ୍ଷାକୁ ପ୍ରଭାବିତ କରିପାରେ। ଦେଶର ବିଭିନ୍ନ ସ୍ଥାନରେ ଗରମ ଏବଂ ଗ୍ରୀଷ୍ମ ପ୍ରବାହର ତୀବ୍ରତା ବୃଦ୍ଧି ପାଇପାରେ। ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମରୁଡ଼ି ମୁକାବିଲା ପାଇଁ ଆବଶ୍ୟକୀୟ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor