‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
‘ରୁଦ୍ରମ୍-୨’ କ୍ଷେପଣାସ୍ତ୍ରର ପରୀକ୍ଷାତ୍ମକ ପରୀକ୍ଷଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରୁଦ୍ରମ୍-୨ କ୍ଷେପଣାସ୍ତ୍ରକୁ ଡିଆରଡିଓ ଅଧୀନସ୍ଥ ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଓ ଅନ୍ୟ ଗବେଷଣା ସଂସ୍ଥା ଦ୍ୱାରା ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି ରହିଥିବାବେଳେ ଏଥିରେ ୨୦୦ କିଗ୍ରାର ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ । ଏହାକୁ ଏବେ ସୁଖୋଇ ଏସୟୁ-୩୦ ଏମ୍କେଆଇ ବିମାନରୁ ପରୀକ୍ଷଣ କରାଯାଉଛି ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ(ଡିଆର୍ଡିଓ) ଏବଂ ଭାରତୀୟ ବାୟୁସେନା (ଆଇଏଏଫ୍) ର ମିଳିତ ସହଯୋଗରେ ମଙ୍ଗଳବାର ଚାନ୍ଦିପୁର ଆଇଟିଆର୍ରୁ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ରକୁ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ନିକ୍ଷେପ କରାଯାଇଥିଲା । ଏହା ନିୟୋଜିତ ବିଭିନ୍ନ ରେଞ୍ଜ ଉପକରଣ ଦ୍ୱାରା କଏଦ ଉଡ଼ାଣ ତଥ୍ୟ ଦ୍ୱାରା ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରିଥିଲା ।
ଏହି ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଆଇଏଏଫ ସମେତ ପ୍ରତିରକ୍ଷା ବିଭାଗର ଅନ୍ୟ ଗବେଷଣା ଶିଳ୍ପର କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଉକ୍ତ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଯୁକ୍ତିର ସଫଳତା ଓ ପରିପକ୍ୱତାକୁ ବର୍ଣ୍ଣନା କରିଛି ବୋଲି ସେ କହିଛନ୍ତି ।
Powered by Froala Editor