ଧସିବାରେ ଲାଗିଛି ଯୋଶୀମଠ : ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
ଉତ୍ତରାଖଣ୍ଡର ଭୂସ୍ଖଳନରେ ତୀର୍ଥ ସହର ଯୋଶୀମଠର ଅଧିକରୁ ଅଧିକ ଘରେ ଫାଟ ସୃଷ୍ଟିହେଉଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏପର୍ଯ୍ୟନ୍ତ ମୋଟ ୬୫ଟି ପରିବାରକୁ ୧୧ଟି ଆଶ୍ରୟସ୍ଥଳକୁ ନିଆଯାଇଛି । ଏବେସୁଦ୍ଧା ମୋଟ ୬୦୩ଟି ଘରେ ଫାଟ ସୃଷ୍ଟି ହୋଇଛି । କେତେକ ମନ୍ଦିର ଓ ଶଙ୍କରାଚାର୍ଯ୍ୟ ମଠରେ ବି ଫାଟ ସୃଷ୍ଟି ହୋଇଛି ।
ଯୋଶୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ତଥା ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପିଏମ୍ଓ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନେ ଯୋଗଦେଇଥିଲେ।
ଅନ୍ୟପକ୍ଷରେ ସାଟେଲାଇଟ ମାଧ୍ୟମରେ ଏହି ଘଟଣା ଉପରେ ଅଧ୍ୟୟନ କରିବାକୁ ଉତ୍ତରାଖଣ୍ଡ ସରକାର ଜାତୀୟ ରିମୋଟ ସେନସିଂ ସେଣ୍ଟର, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରିମୋଟ ସେନସିଂକୁ ଅନୁରୋଧ କରିଛନ୍ତି ।
Powered by Froala Editor