ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ୩ ଗିରଫ
ଭୁବନେଶ୍ୱର: ରାଜଧାନୀରେ ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ ସହିଦନଗର ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ପେଶାରେ ଡ୍ରାଇଭର । ଆନନ୍ଦବଜାର ଅଞ୍ଚଳରେ ସମସ୍ତ ଅଭିଯୁକ୍ତ ରୁହନ୍ତି । ନିଶାଶକ୍ତ ଅବସ୍ଥାରେ ମହିଳା ଏସଆଇଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ନୂଆବର୍ଷ ରାତିରେ ମହିଳା ଥାନା ପୁଲିସ୍ ଏସ୍ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି ନିଜ କାର୍ରେ ଘରକୁ ଫେରୁଥିଲେ । ଆଚାର୍ୟ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍ ତାଙ୍କ କାର୍ ସାମ୍ନାକୁ ମାଡ଼ିଆସିଥିଲା । କାର୍ଟି ଅଚାନକ ତାଙ୍କ ଆଗକୁ ମାଡ଼ିଆସିବାରୁ ଭୟରେ ନିଜ କାର୍କୁ ରାସ୍ତା କଡ଼କୁ ନେଇଯାଇଥିଲେ । ଯଦିଓ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଥିଲେ ତଥାପି ତାଙ୍କ ମନରୁ ଭୟ ଯାଇନଥିଲା । କିଛି ସମୟ ପାଇଁ ସେ ଗାଡ଼ିରେ ବସି ରହିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ । ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ଭୟରେ ସେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଆଡ଼କୁ କାର୍ ନେଇଯାଇଥିଲେ ।
ଦୁର୍ବୃତ୍ତ ଏତିକିରେ ଅଟକି ନଥିଲେ। ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳି ଆଡ଼କୁ ଯାଇଥିଲେ । ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ଶୁଭଶ୍ରୀଙ୍କ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ ଆଖପାଖ ସିସିଟିଭି ଫୁଟେଜ୍ ଯାଞ୍ଚ କରି କେତେକଙ୍କୁ ଚିହ୍ନଟ କରିଥିଲା ।
Powered by Froala Editor