ପ୍ଲାଷ୍ଟିକ ବନ୍ଧୁକ ଦେଖାଇ ଲୁଟୁଥିଲେ ନାବାଳକ ଲୁଟେରା
କଟକ: ପାଖରେ କୌଣସି ମାରଣାସ୍ତ୍ର ନଥିଲା । ପ୍ଲାଷ୍ଟିକ ଖେଳଣା ବନ୍ଧୁକ ଦେଖାଇ ରାଜପଥରେ ସୁନାଗହଣା, ଗାଡ଼ିମୋଟରଠାରୁ ଆରମ୍ଭ କରି ଟଙ୍କାପଇସା, ମୋବାଇଲ ପର୍ଯ୍ୟନ୍ତ ଯାହା ପାଇଲେ ଲୁଟୁଥିଲେ । ୧୭ବର୍ଷର ଜଣେ ନାବାଳକ ଥିଲା ଗ୍ୟାଙ୍ଗ ଲିଡ଼ର । ଡକାୟତି ଗ୍ୟାଙ୍ଗର ଅନ୍ୟ ସହଯୋଗୀମାନଙ୍କ ବୟସ ଥିଲା ୧୮/୧୯ ବର୍ଷ । ପୁଲିସ ଏବଂ ସୁରକ୍ଷା କର୍ମୀମାନେ ବ୍ୟବହାର କରୁଥିବା ୱାକିଟକି ବ୍ୟବହାର କରି ଏହି ଗ୍ୟାଙ୍ଗ କଟକ-ଭୁବନେଶ୍ୱର ଏନଏଚରେ ନିଜର ବେଶ ଯୋଜନାବଦ୍ଧ ଭାବେ ଲୁଟତରାଜ ଚଳାଉଥିଲେ ।
ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମାଟ୍ରିକ ଫେଲ ହେବା ପରେ ମାତ୍ର ୧୫ବର୍ଷ ବୟସରୁ ହିଁ ନାବାଳକ ଅଭିଯୁକ୍ତ ଏହି ଗ୍ୟାଙ୍ଗ ଚଳାଇ ଆସୁଥିଲା । ପୁଲିସ ଆଖିରୁ ନିଦ ହରାଇଦେଇଥିବା ଏହି ନାବାଳକ ଗ୍ୟାଙ୍ଗଙ୍କୁ ଶେଷରେ କାବୁ କରାଯାଇଛି । ଗ୍ୟାଙ୍ଗର ଲିଡର ସମେତ ମୋଟ ୭ ଅଭିଯୁକ୍ତଙ୍କୁ ସଦର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଗ୍ୟାଙ୍ଗ ନାଁରେ ପୂର୍ବରୁ ସଦର ଥାନା, ବିଡ଼ାନାସୀ, ମଧୁପାଟଣା ଥାନାରେ ଅନେକ ମାମଲା ଥିବା ଜଣାପଡ଼ିଛି । ନାବାଳକ ଜଣକ ଦୁଇବର୍ଷ ତଳୁ ଅପରାଧ ଦୁନିଆରେ ପାଦ ଦେଇ ଖୁବ୍ ଶୀଘ୍ର ଲିଡର ହୋଇଯାଇଥିଲା ବୋଲି ପୁଲିସ କହିଛି ।
Powered by Froala Editor