୯୫ ବର୍ଷରେ ପୋପ ଏମିରେଟ୍ସ ବେନେଡିକ୍ଟଙ୍କ ପରଲୋକ

ପୂର୍ବତନ କ୍ୟାଥୋଲିକ ପୋପ ବେନେଡିକ୍ଟ ଷୋଡଶଙ୍କ ଶନିବାର ଭାଟିକାନ ସିଟିରେ ପରଲୋକ ଘଟିଛି। ୯୫ବର୍ଷ ବୟସରେ ବେନେଡିକ୍ଟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଟିକାନ ଚର୍ଚ୍ଚ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ପୂର୍ବତନ ପୋପ ବେନେଡିକ୍ଟ ଷୋଡଶ ଶନିବାର ପୂର୍ବାହ୍ନ ୯ଟା ୩୪ରେ ଭଟିକାନର ମ୍ୟାଟର ଏକ୍ଲେସିଆ ମଠରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତା ୨ ଜାନୁଆରି ସୋମବାରଠାରୁ ସେଣ୍ଟ୍ ପିଟର୍ସ ବାସିଲିଆରେ ତାଙ୍କ ମର ଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ପୂର୍ବତନ ପୋପଙ୍କ ଅନ୍ତେଷ୍ଟି କ୍ରିୟା ସଂପର୍କରେ ପରବର୍ତ୍ତୀ ସମୟରେ ଭାଟିକାନ ଅଫିସ ପକ୍ଷରୁ ଘୋଷଣା କରାଯିବ ।
ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ । ବର୍ତ୍ତମାନର ପୋପ୍ ଫ୍ରାନସିସ୍ ତାଙ୍କୁ ନିୟମିତ ଦେଖା କରିବାକୁ ଯାଉଥିଲେ ଓ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ନିବେଦନ କରିଥିଲେ ।
ଜର୍ମାନୀରେ ଜନ୍ମିତ ଜୋସେଫ ରାଜିନଜର ନାମରେ ଜନ୍ମିତ ବେନେଡିକ୍ଟଙ୍କୁ ୨୦୦୫ରେ ପୋପ ଘୋଷଣା କରାଯାଇଥିଲା । ତାଙ୍କୁ ସେତେବେଳେ ୭୮ ବର୍ଷ ବୟସ ହୋଇଥିଲା । ସବୁଠାରୁ ଅଧିକ ବୟସରେ ସେ ପୋପ ହୋଇଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଚର୍ଚ୍ଚରେ ଯୌନ କେଳେଙ୍କାରି, ଚର୍ଚ୍ଚର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତିର ସାମନା କରିଥିଲେ । ଏହି କାରଣରୁ ସେ ୨୦୧୩ରେ ପୋପ ପଦରୁ ଇସ୍ତଫା ଦେଇଥିଲେ । ୬୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ପୋପ ଇସ୍ତଫା ଦେଇଥିଲେ ।
Powered by Froala Editor