ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ଆଜି
କଣ୍ଟାବାଞ୍ଜି: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ। ବଲାଙ୍ଗିର ଭୀମଭୋଇ ମେଡିକାଲରେ ଗୋବିନ୍ଦଙ୍କର ଶବବ୍ୟବଚ୍ଛେଦ ହେବ। ବୁର୍ଲା ମେଡିକାଲ କଲେଜ ଏଫ୍ଏମ୍ଟି ବିଭାଗର ୨ଜଣ ବିଶେଷଜ୍ଞ ଶବ ବ୍ୟବଚ୍ଛେଦ କରିବେ। ଗୋବିନ୍ଦଙ୍କର କିଭଳି ସ୍ଥିତିରେ ମୃତ୍ୟୁ ହୋଇଛି, ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ହେବ। ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ ମଧ୍ୟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ଜେଲ୍ ଓ୍ୱାର୍ଡର ଅକ୍ଷୟ କୁମାର ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। କାର୍ୟ୍ୟରେ ଅବହେଳା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ଗୋବିନ୍ଦ ସାହୁ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ରହୁଥିଲେ। ଗତକାଲି ଜାମିନ୍ ଆବେଦନର ଶୁଣାଣି ପୂର୍ବରୁ ସେ ଝୁଲି ପଡ଼ିଥିଲେ। ଜେଲ୍ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
Powered by Froala Editor