ବହିଲା କାଲୁଆ ପବନ, ସବୁଠି ଥରାଇଲା ଶୀତ

ଭୁବନେଶ୍ୱର: ହଠାତ ମାଡ଼ି ଆସିଲା ଥଣ୍ଡା । ହିମାଳୟ ପଟୁ ଏମିତି କାଲୁଆ ପବନ ବହିଲା ଯେ ଦକ୍ଷିଣରୁ ଉତ୍ତର ଯାଏଁ ସବୁଠି ଥରାଇଲା ଶୀତ । ଅଚାନକ ଗୋଟିଏ ଦିନକ ଭିତରେ ରାତି ପାରଦ ୨ରୁ ୪.୬ ଡ଼ିଗ୍ରୀ ସେଲସିଏସ ପର୍ଯ୍ୟନ୍ତ ଖସିଗଲା । ରବିବାର ରାତିରେ କନ୍ଧମାଳର ଜି.ଉଦୟଗିରିରେ ରାତି ତାପମାତ୍ରା ୫ ଡ଼ିଗ୍ରୀକୁ ଖସିଯାଇଛି । ଶନିବାର ରାତିରେ ଥିଲା ୭ଡ଼ିଗ୍ରୀ । ୧୧ଟି ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ୧୦ଡ଼ିଗ୍ରୀରୁ କମ୍ ରେକଡର଼୍ ହୋଇଛି । ରାତିର ତାପମାତ୍ରା ଯେତିକି ରହିବା କଥା, ସବୁଠି ତା’ ଠାରୁ କମ୍ ରହିଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଉତ୍ତର ଭାରତ ପଟରୁ କାଲୁଆ ପବନ ପ୍ରବାହିତ ହେଉଛି । ଏହାହିଁ ରାତିର ତାପମାତ୍ରା କମାଉଛି । ଏଭଳି ସ୍ଥିତି ଆହୁରି ପ୍ରାୟ ୩ଦିନ ରହିବ । ବର୍ତ୍ତମାନ ଶୀତ ଏଭଳି ଜାରି ରହିବ । ୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିପାରେ । ଗତ କିଛି ଦିନ ହେବ ଶୀତ ଏକପ୍ରକାର ରାଜ୍ୟରୁ ଉଭାନ ହୋଇଯାଇଥିଲା । ମାତ୍ର ଦୁଇ ଦିନ ହେବ ରାଜ୍ୟରେ ଥଣ୍ଡାର ଲହରୀ ଖେଳିବାରେ ଲାଗିଛି । ଶନିବାରଠାରୁ ଶୀତ କ୍ରମଶଃ ବଢ଼ୁଥିବା ବେଳେ ରବିବାର ରାତିରୁ କାଲୁଆ ପବନ ମାଡ଼ି ଆସିଥିଲା ଉତ୍ତର ପଟୁ । ଥରାଇଦେଲା ସାରା ଓଡ଼ିଶା । ପାଣିପାଗ ବିଭାଗ କହିଛି, ମଙ୍ଗଳବାର ମଧ୍ୟ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।
Powered by Froala Editor