ପିସିଓଡ଼ି ସମସ୍ୟାର ସମାଧାନ
ପିସିଓଡି କହିଲେ ପଲିସିଷ୍ଟିକ ଓଭାରିଅନ୍ ସିଣ୍ଡ୍ରୋମ୍ । ଏହା ମୁଖ୍ୟତଃ ଏକ ହରମୋନାଲ ଡିଜିଜ୍ । ଏହା ପ୍ରାୟତଃ ୧୫ ବର୍ଷରୁ ଋତୁସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ଦେଖାଦେଇପାରେ । ଏହାର ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମତଃ ବଂଶଗତ ଓ ଦ୍ୱିତୀୟତଃ ପରିବେଶର ପ୍ରଭାବ । ଯେପରିକି ବାହାର ଖାଦ୍ୟ ଖାଇବା ଓ ରାତ୍ରି ଅନିଦ୍ରା ପ୍ରମୁଖ କାରଣ ସାଜିଥାଏ । ତେବେ ଆସନ୍ତୁ ଜାଣିବା ପିସିଓଡ଼ି ସମସ୍ୟା ଯୋଗୁଁ ସାଧାରଣ ଲୋକଙ୍କ ମନରେ ଉଠୁଥିବା କିଛି ଦ୍ୱନ୍ଦର ସମାଧାନ ।
- କିଛି ଲୋକଙ୍କର ଧାରଣା ଥାଏ କି ବିବାହ ପୂର୍ବରୁ ପଲିସିଷ୍ଟିକ ଓଭାରି ଡ଼ିଜିଜ ହୋଇଥିଲେ ଭବିଷ୍ୟତରେ ଜଣେ ମହିଳାଙ୍କୁ ଗର୍ଭଧାରଣର ସମସ୍ୟା ରହିଥାଏ । ଏହା ସତ୍ୟ ଯେ, ସମସ୍ୟା ଆସିଥାଏ କିନ୍ତୁ ସମସ୍ୟାର ସମାଧାନ କରାଯାଇପାରିବ । ଏହା ହରମୋନ ଅସନ୍ତୁଳନ ଯୋଗୁ ହୋଇଥାଏ । ତେଣୁ ପ୍ରଥମେ ସେଥିରେ ସନ୍ତୁଳନ ଆଣିବାକୁ ପ୍ରୟାସ କରିବା ଦରକାର । କାରଣ ହରମୋନ ଅସନ୍ତୁଳିତ ରହିଲେ, ଅନ୍ୟ କୌଣସି ଚିକିତ୍ସା କଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭଲ ହୋଇନଥାଏ । ତେଣୁ ହରମୋନରେ ସନ୍ତୁଳନ ଆଣିବା ସହ ଜୀବନଶୈଳୀରେ ପରିବର୍ତ୍ତନ କରିବା ଦ୍ୱାରା ଏହି ସମସ୍ୟା ଦୂର କରାଯାଇପାରିବ । ପରେ ଗର୍ଭଧାରଣ ପାଇଁ ଚିକିତ୍ସା କରାଯାଇପାରିବ ।
- ତେବେ ପିସିଓଡ଼ି ସମସ୍ୟା ବିଶେଷ କରି ଯେଉଁମାନେ ସବୁବେଳେ ବାହାର ଖାଦ୍ୟ ଖାଇଥାନ୍ତି, ବ୍ୟାୟାମ କରୁନାହାନ୍ତି, ମୋଟାପଣ ଥିବା ମହିଳାଙ୍କ ଠାରେ ଦେଖାଯାଇଥାଏ । ଏହା ବ୍ୟତୀତ ପରିବାରରେ ଯଦି କାହାର ପିସିଓଡି ସମସ୍ୟା ରହିଥାଏ, ସେମାନଙ୍କଠାରେ ଏହି ରୋଗର ଆଶଙ୍କା ଅଧିକ ରହିଥାଏ । ଏହାକୁ ନିୟନ୍ତ୍ରିତ କରିବାକୁ ହେଲେ ମହିଳାମାନେ ନିୟମିତ ବ୍ୟାୟାମ କରିବା ସାଙ୍ଗକୁ ବାହାର ଖାଦ୍ୟ ଯଥା ଫାଷ୍ଟଫୁଡ଼ ଓ ଜଙ୍କଫୁଡ଼ଠାରୁ ଦୂରେଇ ରହିବାକୁ ପଡ଼ିବ । ଏହା ସତ୍ତେ୍ୱ ଯଦି ପିସିଓଡି ସମସ୍ୟା ଆସେ ତେବେ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
- ପିସିଓଡି ସମସ୍ୟା ଭୋଗୁଥିବା ଝିଅମାନେ ସାଧାରଣତଃ ମେଦବହୁଳତାର ଶିକାର ହୋଇଥାନ୍ତି । ଏମାନେ ବିଶେଷ କରି ଜଙ୍କଫୁଡ଼ ଓ ଫାଷ୍ଟଫୁଡ଼ଠାରୁ ଦୂରେଇ ରହିବା ଦରକାର । ଏପରିକି ଘରର ରନ୍ଧା ଖାଦ୍ୟକୁ ବେଶ ଗୁରୁତ୍ୱ ଦେବା ଜରୁରି । ବିଭିନ୍ନ ମଇଦାଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ତା’ ସହିତ ନିୟମିତ ବ୍ୟାୟାମ କରନ୍ତୁ । - ପିସିଓଡି ସମସ୍ୟା ଆନୁବଂଶିକ ଅଟେ । ଯଦି ପରିବାରର ପୂର୍ବରୁ କାହାର ପିସିଓଡି ସମସ୍ୟା ରହିଥାଏ, ତେବେ ପରପିଢ଼ିରେ ଏହି ରୋଗ ହେବାର ଆଶଙ୍କା ଅଧିକ । ନିୟମିତ ବ୍ୟାୟାମ ସାଙ୍ଗକୁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦ୍ୱାରା ହିଁ ଏହି ରୋଗ ନିୟନ୍ତ୍ରିତ କରାଯାଇପାରିବ ।
Powered by Froala Editor