ଦନ୍ତାହାତୀକୁ ମାରି ନଦୀରେ ଭସାଇ ଦେବା ଘଟଣା: ୩ ବନ କର୍ମଚାରୀ ନିଲମ୍ବିତ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଏକ ଦନ୍ତାହାତୀକୁ ମାରି ଦାନ୍ତ କାଟି ନେଇଯିବା ପରେ ହାତୀର ମୃତଦେହକୁ ପୋଡି ଦେଇ ନଦୀରେ ଭସାଇ ଦେବା ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୩ଜଣଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ତିନି ଜଣଙ୍କ ମଧ୍ୟରେ ଭାରପ୍ରାପ୍ତ ରେଞ୍ଜର ଶିବଶଙ୍କର ସାମଲ ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ ହାତୀ ଶିକାର ପ୍ରାୟ ୧୫ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଛି । ଏହା ପରେ ସଂପୃକ୍ତ ବିଭାଗ ଦ୍ୱାରା ତଦନ୍ତ ସମୟରେ ହାତୀ ପୋଡ଼ା ହୋଇଥିବା ସ୍ଥାନ ଚିହ୍ନଟ ହୋଇଥିଲା । ନଦୀରୁ ହାତୀର କିଛି ହାଡ଼ ମଧ୍ୟ ଜବତ କରାଯାଇଥିଲା । ଜବତ ହାଡ଼କୁ ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ ପାଇଁ ଓୟୁଏଟିକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ । ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହିଭଳି ଘଟଣା ଅନୁଯାୟୀ ଶିମିଳିପାଳରେ ୨୦୧୦ରେ ୧୦ଟି ହାତୀ ଏବଂ ୨୦୧୨ରେ ୮ଟି ହାତୀ ପୋଡାଯାଇଥିବା କୁହାଯାଉଛି ।
Powered by Froala Editor