କଂଗ୍ରେସ ନେତା ମୁହାଁମୁହିଁ
ଭୁବନେଶ୍ବର : ପଦ୍ମପୁର ଉପ-ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତକାଲି ଗଣମାଧ୍ୟମରେ ଦଳର ଦୁଇ ନେତା ପରାଜୟ ପାଇଁ ଖୋଲିଖୋଲି ଭାବେ ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ୍ କରିଥିଲେ। ଏପରିକି କଂଗ୍ରେସ ଭୋଟ୍ ବିକ୍ରି ହୋଇଯାଇଥିବା ଆକ୍ଷେପ କରିଥିଲେ। ତେବେ ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଦଳ ମୁଖପାତ୍ର ସୁଦର୍ଶନ ଦାସ।
ଶନିବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଲେ, କଂଗ୍ରେସ ଦଳକୁ ଅପଦସ୍ଥ କରିବା ପାଇଁ କିଛି ଲୋକ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସର ଭୋଟ ବିକ୍ରି କଥା କହୁଥିବା ଲୋକ ଦଳର ଜିନ୍ ସହିତ ପରିଚିତ ନୁହନ୍ତି। କଂଗ୍ରେସ ଦଳ ମୁଲଚାଲରେ ବିଶ୍ବାସ କରେନାହିଁ। ଦଳୀୟ ସମସ୍ୟାକୁ ଶୃଙ୍ଖଳା ଭିତରେ ଉପସ୍ଥାପନ କରାଯିବା ଉଚିତ୍। ଦଳ ବାହାରେ ଏସବୁ ବିଷୟ ଆଲୋଚନା କରାଯିବା ଦ୍ବାରା କଂଗ୍ରେସକୁ ଭଲ ପାଉଥିବା ଅସଂଖ୍ୟ ଭୋଟର ଓ କର୍ମୀ ହତୋତ୍ସାହିତ ହେଉଛନ୍ତି। ଶୃଙ୍ଖଳା ହିଁ ଦଳର ପ୍ରଗତିର ପ୍ରମୁଖ ମାପକାଠି। ଉପ-ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇ ନ ଥାଏ। ତେବେ ଖୁବଶୀଘ୍ର ଉପ-ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବ।
Powered by Froala Editor