୭ ଜିଲାରେ ରହିବ ଏଭଳି ପାଗ

ଭୁବନେଶ୍ୱର: ବାତ୍ୟା ‘ମାଣ୍ଡସ’ର ପ୍ରଭାବ ଓଡ଼ିଶା ଉପରେ ପଡି ନଥିବା ବେଳେ ବାହ୍ୟବଳୟ ଯୋଗୁଁ ଗଜପତି, କଟକ, କୋରାପୁଟ, କନ୍ଧମାଳ, ଭଦ୍ରକ, ନୟାଗଡ, ସମ୍ବଲପୁର, ଝାରସୁଗୁଡା, ପାରାଦ୍ବୀପ, ହୀରାକୁଦ ଏବଂ ନୂଆପଡାରେ ପାଗ ମେଘୁଆ ରହିବା ସହ ହାଲକା ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ୭ଜିଲା ଗୁଡିକ ବ୍ୟତୀତ ଅନ୍ୟ ଜିଲା ଗୁଡ଼ିକରେ ପାଗ ଶୁଖିଲା ରହିବ। ଉତ୍ତରା ପବନ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିଥିଲା। ସମତଳ ଓ ପାହାଡିଆ ଅଞ୍ଚଳ ଗୁଡିକରେ ଶୀତ ଅନୁଭୂତ ହେଉଥିଲା। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡୁଥିଲା। କିନ୍ତୁ ମାଣ୍ଡସ ଯୋଗୁଁ ରାଜ୍ୟକୁ ଉତ୍ତରା ପବନ ବହିବା ବନ୍ଦ ରହିଥିବା ବେଳେ ଆସନ୍ତା ୪ରୁ ୫ଦିନ ପର୍ୟ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଗତ ୨୪ ଘଣ୍ଟାରେ କେନ୍ଦୁଝର ଓ ଝାରସୁଗୁଡାରେ ରାତି ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ୧୨ଡିଗ୍ରୀ ରେକର୍ଡ ହୋଇଛି। ପ୍ରାୟ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଅମଳ ସମୟରେ ହାଲକା ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ପାଚିଲା ଧାନ କ୍ଷେତରେ ଝୁଲୁଥିବା ବେଳେ ଅନେକ ଚାଷୀ ଧାନ କାଟି ଜମିରେ ପକାଇଛନ୍ତି। କିଏ ଧାନକୁ ବୋହି ଆଣି ଖଳାବାରିରେ ଜରି ପାଲ ଘୋଡାଇ ରଖିଛି ତ ଆଉ କିଏ ଜମିରୁ ଆଣି ନପାରି ରାସ୍ତା ପାର୍ଶ୍ବରେ ଗଦା କରି ଜରି ଘୋଡାଇ ଦେଇଛି। ପୁଣି ରବିବାର ଦକ୍ଷିଣ ଓଡ଼ିଶାର ୭ ଜିଲାରେ ହାଲ୍କା ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ।
Powered by Froala Editor