ମର୍ମନ୍ତୁଦ ବସ୍ ଦୁର୍ଘଟଣା, ୧୬ ଯାତ୍ରୀ ଗୁରୁତର

ମାଲକାନଗିରି: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଘଟିଛି ମର୍ମନ୍ତୁଦ ବସ୍ ଦୁର୍ଘଟଣା। ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ସରକାରୀ ବସ୍ ଆଗରେ ଯାଉଥିବା ଏକ ଟ୍ରକ୍କୁ ପିଟି ଦେବାରୁ ୧୬ ଯାତ୍ରୀ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ଗତକାଲି ସନ୍ଧ୍ୟା ସମୟରେ ମାଲକାନଗିରିରୁ ଏକ ବସ୍ ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଏହି ବସ୍ଟି ଶ୍ରୀକାକୁଲମ ହୋଇ ଭୁବନେଶ୍ୱର ଅଭିମୁଖେ ଯାଇଥାଏ। ଗାଡ଼ିଟି ପ୍ରାୟ ୩ଶହ କିମି ଅତିକ୍ରମ କରି ସାରିବା ପରେ ବିଳମ୍ବିତ ରାତିରେ ଶ୍ରୀକାକୁଲମରେ ପଶିଥିଲା। ଏହାପରେ ଶ୍ରୀକାକୁଲମରେ ଜାତୀୟ ରାଜପଥ ଦେଇ ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି ।
ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଗଲା । ସେଠାରେ କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭାଇଜାକ୍ ପଠାଯାଇଛି।
Powered by Froala Editor