ଟାଇମ୍ ମାଗାଜିନ୍ କଭର୍ ପୃଷ୍ଠାରେ ଜେଲେନସ୍କି
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ଟାଇମ୍' 'ପର୍ସନ ଅଫ ଦ ଇଅର ୨୦୨୨' ଘୋଷଣା କରିଛି। ଟାଇମ୍ ମାଗାଜିନ୍ ନିଜ କଭର୍ ପୃଷ୍ଠାରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସ୍ଥାନ ଦେଇଛି। ରୁଷ-ୟୁକ୍ରେନ ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କି ଗତ ୧୦ମାସ ଧରି ରୁଷ ଭଳି ବଡ଼ ଦେଶ ସାମ୍ନାରେ ମୁଣ୍ଡ ଟେକି ଠିଆ ହୋଇପାରିଥିବାରୁ ତାଙ୍କୁ ‘ପର୍ସନ ଅଫ ଦ ଇୟର’ କରିଛି ଟାଇମ୍ ମାଗାଜିନ। ଏତେ ବଡ଼ ଶକ୍ତିଶାଳୀ ଦେଶ ବିରୋଧରେ ଲଢ଼ିବାର ତାଙ୍କର ଧୈର୍ଯ୍ୟକୁ ଟାଇମ୍ ମାଗାଜିନ ପ୍ରଶଂସା କରିଛି।
ସେ ତାଙ୍କ ସୈନିକମାନଙ୍କ ସହ ଛିଡ଼ା ହେବା ସହ ଧୌର୍ଯ୍ୟ ଏବଂ ଗମ୍ଭୀରତାର ପରିଚୟ ଦେଇ ଶକ୍ତିଶାଳୀ ରୁଷିଆ ସହ ଲଢ଼ୁଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଜେଲେନସ୍କି ୟୁକ୍ରେନର ସୁରକ୍ଷାକୁ ନେଇ ସ୍ବର ଉତ୍ତୋଳନ କରିବା ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପଦକ୍ଷେପକୁ ନିନ୍ଦା କରିଛନ୍ତି।
ଟାଇମ୍ ଲେଖିଛି ଯେ ରାଷ୍ଟ୍ରପତି ଜେଲେନସ୍କି ନିଜ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ନିଜକୁ ସମ୍ପୂର୍ଣ୍ଣ ଭାବେ ଯୁଦ୍ଧକୁ ଠେଲି ଦେଇଛନ୍ତି। ସେ କ୍ରମାଗତ ଭାବରେ ସୈନିକମାନଙ୍କ ପାଖକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ସେ ନିଜ ଦେଶରେ ଟ୍ରେନ୍ ଯୋଗେ ଯାତ୍ରା କରନ୍ତି ଏବଂ ଏହି ଯାତ୍ରା ସମୟରେ ମଧ୍ୟ ଯୁଦ୍ଧର ପ୍ରତିଟି ଅପଡେଟ ଉପରେ ସେ ନଜର ରଖନ୍ତି। ଟାଇମ୍ ମାଗାଜିନ୍ ନିଜ ରିପୋର୍ଟରେ ଜେଲେନସ୍କିଙ୍କ ଖେରାସନ୍ ଯାତ୍ରା ବିଷୟରେ ଉଲ୍ଲେଖ କରିଛି, ଯାହାକୁ ନିକଟରେ ୟୁକ୍ରେନର ସୈନିକମାନେ ରୁଷ କବଳରୁ ମୁକ୍ତ କରିଥିଲେ।
Powered by Froala Editor