ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ , ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭା ଓ ରାଜ୍ୟସଭାର ସବୁ ଦଳର ନେତାଙ୍କୁ ବୈଠକରେ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି । ବୈଠକରେ ସଂସଦ କାର୍ୟ୍ୟ ସୁରୁଖୁରରେ ଚଲାଇବା ସବୁ ଦଳର ସହ ଯୋଗ ଲୋଡିବେ କେନ୍ଦ୍ର ସରକାର । ଏଥିସହ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ବିଧେୟକ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ।
ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଉଭୟ ଗୃହର ବହୁ ନେତା ସାମିଲ ହେବା ସୂଚନା ରହିଛି । ଡିସେମ୍ବର ୭ ତାରିଖରୁ ଶୀତଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୭ତାରିଖ ଯାଏଁ ଚାଲିବ । ଆସନ୍ତାକାଲି ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ ଏବଂ ୮ତାରିଖରେ ଆସିବାକୁ ଯାଉଛି ଗୁଜୁରାଟ ଓ ହିମାଚଳ ପ୍ରଦେଶର ନିର୍ବାଚନ ଫଳ । ତେଣୁ ଅଧିବେଶନର ପ୍ରଥମ ଦୁଇ ଦିନ ନିର୍ବାଚନ ଫଳାଫଳକୁ ନେଇ ଗୃହ ସରଗରମ ରହିବା ସମ୍ଭାବନା ରହିଛି । ସେପଟେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଦରଦାମ ବୃଦ୍ଧି, ଭାରତ ସୀମାରେ ଉତେଜନା, ବେରୋଜଗାର ଭଳି ସମସ୍ୟା ଉଠାଇବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।
Powered by Froala Editor