ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଖସାଇ ନେଲେ ଗ୍ରାମବାସୀ
ତିଗିରିଆ : ଏକ ଅପହରଣ ମାମଲାରେ ତିଗିରିଆରୁ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଆସିଥିବା ଢ଼େଙ୍କାନାଳ ସଦର ପୁଲିସଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଆକ୍ରମଣ କରିଛନ୍ତି। ଏହି ଥାନା ଅନ୍ତର୍ଗତ ନୂଆପାଟଣା ଦୁର୍ଗା ବଜାରରେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଘଟିଥିବା ବେଳେ ଏଥିରେ ୩ଜଣ ପୁଲିସ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସଂଘବଦ୍ଧ ଭାବେ ୨୦ରୁ ୩୦ଜଣ ଯୁବକ ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ଘଟଣାସ୍ଥଳରୁ ଖସାଇ ନେଇଛନ୍ତି। ଏଥିନେଇ ତିଗିରିଆ ଥାନାରେ ଢ଼େଙ୍କାନାଳ ସଦର ପୁଲିସର ଅଭିଯୋଗ ପରେ ଥାନା ଅଧିକାରୀ ସୁଚିତ୍ରା ଜେନା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ୧୫ଦିନ ପୂର୍ବେ ଢ଼େଙ୍କାନାଳ ଅଞ୍ଚଳର ଗୁଣ୍ଡିଚାପଡ଼ା ଗ୍ରାମର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ଢ଼େଙ୍କାନାଳ ସଦରଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ସେହି ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଢ଼େଙ୍କାନାଳ ସଦର ପୁଲିସ ଅଭିଯୁକ୍ତର ମୋବାଇଲ ଟ୍ରାକିଂ କରି ନୂଆପାଟଣା ବଜାରରେ ଯୁବକ ଜଣଙ୍କ ଥିବା ଜାଣିବାକୁ ପାଇଥିଲା। ଢ଼େଙ୍କାନାଳ ସଦର ଥାନା ଏଏସଆଇ ଚନ୍ଦ୍ରକାନ୍ତ ସେଠୀ ଓ ରମେଶ ସ୍ୱାଇଁଙ୍କ ନେତୃତ୍ୱରେ ୫ଜଣିଆ ପୁଲିସ ଟିମ୍ ସାଦା ପୋଷାକରେ ଗୁରୁବାର ସନ୍ଧ୍ୟାରେ ନୂଆପାଟଣା ବଜାରରେ ଚଢ଼ଉ କରିଥିଲେ। ଅଭିଯୁକ୍ତକୁ ପୁଲିସ କାବୁ କରିବା ପରେ ଏହି ଖବର ପାଇ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯୁବକ ଘଟଣାସ୍ଥଳକୁ ଆସି ପୁଲିସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବୋଲି ଆହତ ପୁଲିସ ଅଭିଯୋଗ କରିଛନ୍ତି। ଏଥିରେ ଏଏସ୍ଆଇ ଚନ୍ଦ୍ରକାନ୍ତ ସେଠୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।
Powered by Froala Editor