ରାସ୍ତା ପାରି କରି ଫେରୁଥିବା ବେଳେ ଚାଲିଗଲା ପ୍ରଧାନ ଶିକ୍ଷକଙ୍କ ଜୀବନ
କୁଆଖିଆ : ଏମିତି ବି ଆସେ ମୃତ୍ୟୁ । ସ୍କୁଲ ଖେଳ ଛୁଟି ସମୟରେ ଛାତ୍ରଛାତ୍ରୀଙ୍କୁ ରାସ୍ତା ପାରି କରି ନିଜେ ଫେରୁଥିବା ସମୟରେ ଦୁର୍ଘଟଣାରେ ଚାଲିଗଲା ପ୍ରଧାନ ଶିକ୍ଷକଙ୍କ ଜୀବନ । ଏଭଳି ଘଟଣା ଘଟିଛି ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ-ବରୁଆଁକୁ ସଂଯୋଗ କରୁଥିବା ୨୦ନଂ ଜାତୀୟ ରାଜପଥର ସାରଙ୍ଗପୁର ନିକଟରେ । ମୃତକ ହେଲେ ସାରଙ୍ଗପୁର ୟୁଜିଏମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ ମିଶ୍ର । ତାଙ୍କ ଘର ରସୁଲପୁର ବ୍ଲକ ଗନ୍ଧଣ ପଞ୍ଚାୟତ ଏକତଳା ଗ୍ରାମରେ ବୋଲି ଜଣାପଡିଛି ।
ରାସ୍ତାପାର୍ଶ୍ଵରେ ସ୍କୁଲଟି ଥିବାରୁ ସ୍କୁଲ ଖେଳ ଛୁଟି ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚାଲି ଚାଲି ରାସ୍ତା ପାରି କରାଇ ଫେରୁଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏହାପରେ ସ୍ଥାନୀୟ ଲୋକେ ଟାୟାର ଜାଳି ଉକ୍ତ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହି ଜାତୀୟ ରାଜପଥପାର୍ଶ୍ଵରେ ସ୍କୁଲ ଥିବାରୁ ଏଠାରେ ହମ୍ପ୍ସ ଓ ପୋଲ ନିର୍ମାଣ କରିବା ନେଇ ଦାବି ହୋଇଥିଲା । ଖବରପାଇ ରସୁଲପୁର ତହସିଲଦାର ଓ କୁଆଖିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଜାତୀୟ ରାଜପଥରୁ ଅବରୋଧ ହଟିଥିଲା ।
Powered by Froala Editor