ପିତାମାତାଙ୍କୁ ନେଇ ଏହି ରାୟ ଦେଲେ ହାଇକୋର୍ଟ
କଟକ : ବୟସ୍କ ପିତାମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ । ବରିଷ୍ଠ ନାଗରିକଙ୍କୁ କୌଣସି ପରିସ୍ଥିତିରେ ନିର୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି । ଭୁବନେଶ୍ୱରର ଗୋଲାପ ମିଶ୍ର ନାମ୍ନୀ ୭୫ ବର୍ଷୀୟା ବୃଦ୍ଧା ନିଜ ପୁଅ ବୋହୂ ହଇରାଣ ହରକତ କରୁଥିବା ନେଇ ମାମଲା ଦାୟର କରିଥିଲେ। ଗୋଲାପ ନିଜେ ଘର କରିଥିବାବେଳେ ପୁଅବୋହୂ ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଗୋଲାପଙ୍କ ଶ୍ରମ ଓ ଅର୍ଥରେ ତିଆରି ହୋଇଥିବା ଘରୁ ପୁଅବୋହୂଙ୍କୁ ବାହାର କରିବା ପାଇଁ ପୁଲିସକୁ ନିର୍ଦେଶ ଦେବାକୁ ସେ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୟସ୍କା ମହିଳାଙ୍କ ଯେଭଳି କୌଣସି ଅସୁବିଧା ନ ହେବ ଏବଂ ତାଙ୍କୁ କୌଣସି ପ୍ରକାର ନିର୍ୟାତନା ଯେ ଦିଆ ନ ଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଆଇଆଇଆସିଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହା ସହିତ ବୟସ୍କା ବୃଦ୍ଧା ଓ ତାଙ୍କ ପୁଅବୋହୂ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପହଞ୍ଚି ଏହି ସମସ୍ୟାର ଆପୋଷ ସମାଧାନ କରିବାକୁ ନିର୍ଦେଶ ଦେଇଛନ୍ତି। ଡିସେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଛନ୍ତି।
Powered by Froala Editor